ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାଇଁ ‘କର ବା ମର’ ପରିସ୍ଥିତି ! ନ୍ୟୁଜିଲାଣ୍ଡକୁ ହରାଇଲେ ସେମିଫାଇନାଲ୍‌ ଖେଳିବ

55

କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟ୍‌ ଦଳ ଚଳିତ ବିଶ୍ୱକପ୍‌ରେ ଚମତ୍କାର ଆରମ୍ଭ ସତ୍ତ୍ୱେ ସେମିଫାଇନାଲ୍‌ ଖେଳିବା ନେଇ ଆଶଙ୍କାରେ ପଡ଼ିଯାଇଛି ।  ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ୪ ବିଜୟ ପାଇ ଆରମ୍ଭରୁ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ନିକଟରୁ ହାରି ଏହି ଆଶଙ୍କାରେ ପଡ଼ିଯାଇଛି ।

୮ ଦଳକୁ ନେଇ ଚାଲିଥିବା ଏହି ବିଶ୍ୱକପ୍‌ରେ ପ୍ରତି ଦଳ ୭ ଲେଖାଏଁ ମ୍ୟାଚ୍‌ ଖେଳିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ୪ ସ୍ଥାନ ଅକ୍ତିଆର କରିଥିବା ଦଳ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ । ଏହି ଦୃଷ୍ଟିରୁ ଗ୍ରୁପ୍‌ ପର୍ଯ୍ୟାୟରେ ୬ ମ୍ୟାଚ୍‌ ଖେଳି ସାରିଥିବା ଭାରତ ୪ ବିଜୟ ଓ ୨ ପରାଜୟ ଯୋଗୁଁ ୮ ପଏଣ୍ଟରେ ଚତୁର୍ଥ ସ୍ଥାନରେ ରହିଛି ।

ଏହା ପଛକୁ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ (୩ ବିଜୟ, ୨ ପରାଜୟ, ୧ ବାତିଲ) ୭ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଚ୍‌ରୁ ସମାନ ପଏଣ୍ଟ (୬ ମ୍ୟାଚ୍‌, ୫ ବିଜୟ, ୧ ପରାଜୟ, ୧୦ ପଏଣ୍ଟ୍‌) ପାଇ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ଏହି ଦୁଇ ଦଳ ପଛକୁ ଦକ୍ଷିଣ ଆଫ୍ରିକା (୪ ବିଜୟ, ୧ ପରାଜୟ, ୧ ବାତିଲ) ୯ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।

ଫଳରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ନିଜ ନିଜର ସପ୍ତମ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ହିଁ ସେମିଫାଇନାଲ୍‌ ଯୋଗ୍ୟତା ହାସଲ କରିନେଇଛନ୍ତି। ଫଳରେ ସେମିଫାଇନାଲ୍‌ ପ୍ରବେଶ ନିମନ୍ତେ ଚତୁର୍ଥ ଦଳ ଭାବେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରୁ ଜଣକ ପାଇଁ ସୁଯୋଗ ରହିଛି । ଏହି ଦୁଇ ଦଳ ମଧ୍ୟ ଆସନ୍ତା ଶନିବାର ଶେଷ ମୁକାବିଲାରେ ମୁହାଁମୁହିଁ ହେବେ ।

ଫଳରେ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି । ଯେଉଁ ଦଳ ଏହି ମ୍ୟାଚ୍‌ରେ ବିଜୟୀ ହେବ ସେ ହିଁ ସେମିଫାଇନାଲ୍‌ ଖେଳିବ । ଏପରି ସ୍ଥିତିରେ ଦଳକୁ ଏକଜୁଟ୍‌ ହୋଇ ଏବଂ ସମସ୍ତ ଶକ୍ତି ଖଟାଇ ନ୍ୟୁଜିଲାଣ୍ଡକୁ ସାମ୍‌ନା କରିବାକୁ ପଡ଼ିବ ବୋଲି ସାଥୀ ଖେଳାଳିଙ୍କୁ ଆହ୍ଵାନ ଦେଇଛନ୍ତି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍‌ ।

କେବଳ ସେତିକି ନୁହେଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଂ କଲେ ବଡ଼ ସ୍କୋର୍‌ କରିବା ଦିଗରେ ବ୍ୟାଟ୍ସମ୍ୟାନ ମାନେ ଲକ୍ଷ୍ୟ ରଖିବା ଉଚିତ୍‌ ବୋଲି ମିତାଲି କହିଛନ୍ତି । ବୋଲିଂରେ ମଧ୍ୟ ଆଉ ଅଧିକ ଶାଣୀତ ଆଣିବାକୁ ମିତାଲି ପରାମର୍ଶ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଗତ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଯଥେଷ୍ଟ ହୋଇନଥିଲା । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ବ ତ୍ରୁଟିକୁ ସୁଧାରିପାରିଲେ ଦଳର ସେମିଫାଇନାଲ୍‌ ପ୍ରବେଶ ସମ୍ଭାବନା ରହିବ ବୋଲି ମିତାଲି କହିଛନ୍ତି ।