ଇତିହାସ ଅପେକ୍ଷାରେ ମହିଳା ଟିମ୍ ! ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଭାରତ

52

କନକ ବ୍ୟୁରୋ : ଆଇସିସି ମହିଳା ବିଶ୍ୱକପର ଫାଇନାଲରେ ପହଂଚିଲା ଭାରତ । ୬ଥର ବିଜେତା ଅଷ୍ଟ୍ରେଲିଆକୁ ୩୬ରନରେ ହରାଇ ଭାରତ ୧୨ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ୪୨ଓଭରରେ ୨୮୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଅଷ୍ଟ୍ରେଲିଆ କିନ୍ତୁ ୨୪୫ରନରେ ସୀମିତ ରହିଯାଇଥିଲା । ଶେଷଥର ପାଇଁ ୨୦୦୫ରେ ଫାଇନାଲ ଖେଳି ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ହରମନପ୍ରୀତ କୌରଙ୍କ ଧୁଆଁଦାର ବ୍ୟାଟିଂ ପାଇଁ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଭାରତ ରବିବାର ଦିନ ଲର୍ଡସରେ ଇଂଲଣ୍ଡ ସହ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବ ।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲେ ଭାରତ ହରମନପ୍ରୀତ କୌର । ୧୧୫ବଲରେ ୨୦ଚୌକା ଓ ୭ଟି ଛକା ସାହାଯ୍ୟରେ ଅପରାଜିତ ୧୭୧ରନ୍ ବିଜୟର ମୁଳଦୂଆ ପକାଇଥିଲା । ପ୍ରାରମ୍ଭିକ ଯୋଡି ସ୍କୃତି ମନ୍ଧାନା ୬ରନ୍ ଓ ପୁନମ ରାଉତ ୧୪ରନ୍ କରି ଆଉଟ ହୋଇଯାଇଥିଲେ । ଅଧିନାୟକ ମିତାଲି ରାଜ ୬୧ଟି ବଲରେ ୩୬ରନ୍ ଯୋଡିଥିଲେ । ତେବେ ବ୍ୟକ୍ତିଗତ ୩୨ରନ୍ ଫଳରେ ମିତାଲି ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ହରମନପ୍ରୀତ ଓ ଦିପ୍ତୀ ଶର୍ମା ଯୋଡି ଚତୁର୍ଥ ୱିକେଟ ଭାଗିଦାରୀରେ ୧୩.୪ଓଭରରେ ୧୩୭ରନ୍ ଯୋଡି ଅଷ୍ଟ୍ରେଲିଆ ବୋଲରଙ୍କୁ ନୟାନ୍ତ କରିଥିଲେ ।

ଏହି ଭାଗିଦାରୀରେ ଦୀପ୍ତିଙ୍କ ଅବଦାନ ଥିଲା ମାତ୍ର ୨୫ରନ୍ । ଜବାବରେ ୭.୩ଓଭରରେ ଅଷ୍ଟ୍ରେଲିଆ ୩ୱିକେଟ୍ ହରାଇ ୨୧ରନ୍ କରିବା ଭାର ବୋଲରଙ୍କ ପାଇଁ ଆଶା ଉଜ୍ଜୀବିତ କରିଥିଲା । ଶିଖା ପାଣ୍ଡେ, ଝୁଲଣା ଗୋସ୍ୱାମୀ ଓ ଦିପ୍ତୀ ଶର୍ମା ୱିକେଟ ନେଇ ଏହି ସୁଯୋଗ ଦେଇଥିଲେ । କିନ୍ତୁ ଏଲିସ ପେରୀ ୫୬ ବଲରେ ୩୮ ରନ୍, ଏଲିସ ଭିଲାନୀ ୫୮ବଲରେ ୭୫ରନ୍ ସଂଗ୍ରହ କରିଥିଲେ । ପେରିଙ୍କୁ ପାଣ୍ଡେ ଓ ଭିଲାନୀଙ୍କୁ ସ୍ପିନର ରାଜେଶ୍ୱର ଆଉଟ କରିବା ପରେ ମ୍ୟାଚ ଭାରତ ନିୟନ୍ତ୍ରଣକୁ ଆସିଯାଇଥିଲା । ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ଦଖଲ କରି ଭାରତୀୟ ବୋଲର ଅଷ୍ଟ୍ରଲିଆକୁ ବିଜୟ ପର୍ଯ୍ୟନ୍ତ ପହଂଚିବାକୁ ଦେଇନଥିଲେ । ୧୬୯ରନରେ ଅଷ୍ଟ୍ରେଲିଆ ନବମ ୱିକେଟ ହରାଇଥିଲା । ଆଲେକ୍ସ ବ୍ଲେକୱେଲ ୫୬ବଲରେ ୯୦ରନ୍ କରିଥିଲେ ଏବଂ କ୍ରିଷ୍ଟିନ ବିମସଙ୍କ ସହ ଭାଗିଦାରୀରେ ୭୬ରନ୍ ଯୋଡିବା ଫଳରେ ଅଷ୍ଟ୍ରେଲିଆର ବିଜୟ ବିଳମ୍ବ ହୋଇଥିଲା ।