ଆପଣ ଜାଣନ୍ତି କି ? ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚକୁ ଭାରତରେ ସବୁଠାରୁ ଅଧିକ ଲୋକ ଟିଭିରେ ଦେଖିଛନ୍ତି

38

ସମସ୍ତଙ୍କ ଆଶା ଥିଲା ମହିଳା କ୍ରିକେଟରେ ଇତିହାସ ରଚିବ ଭାରତ । କିନ୍ତୁ ଅଳ୍ପକେ ବିଶ୍ୱକପ୍ ହାତଛଡା କଲା ଟିମ୍ ଇଣ୍ଡିଆ । ପୁଣି ଥରେ ରନର୍ସ ଅପରେ ସନ୍ତୁଷ୍ଟ ହେଲା ଭାରତୀୟ ମହିଳା କ୍ରିକେଟ ଦଳ । ଐତିହାସିକ ଲଡ଼ର୍ସ ପଡ଼ିଆରେ ମିତାଲି ରାଜଙ୍କ ଦଳର ବିଶ୍ୱକପ୍ ବିଜୟର ସ୍ୱପ୍ନ ଅଧାରେ ରହିଗଲା । ଭାରତ ସମ୍ମୁଖରେ ୨୨୯ ରନ୍ ବିଜୟ ଲକ୍ଷ୍ୟ ଥିଲା । ହେଲେ ଭାରତ ୨୧୯ ରନରେ ଅଟକିଗଲା । ଏଥି ସହିତ ଭାରତ ଦ୍ୱିତୀୟ ଥର ପାଇଁ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା ବେଳେ ଇଂଲଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱ ବିଜେତା ହୋଇଗଲା । ମହିଳା ବିଶ୍ୱକପ ଫାଇନାଲରେ ଭାରତ ହାରିଗଲେ ମଧ୍ୟ ଦେଶର କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି ମିତାଲି ରାଜ ଓ ତାଙ୍କ ଟିମ୍ । ପୁରୁଷ କ୍ରିକେଟ ଦଳର ଆଧିପତ୍ୟ ଭିତରେ ଦେଶବାସୀ ମହିଳା ଟିମରକୁ ଶୁଭେଚ୍ଛା ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଥିଲେ ।

୨୩ ଜୁଲାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ହୋଇଥିବା ଆଇସିସି ମହିଳା ବିଶ୍ୱକପ୍ ଫାଇନାଲ ମ୍ୟାଚକୁ ୧୯.୫ କୋଟି ଦର୍ଶକ ଟେଲିଭିଜନରେ ଦେଖିଛନ୍ତି । ଏହା ଭାରତରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯଇଥିବା ମହିଳା ଖେଳ ଥିଲା । ଟିଭି ରେଟିଂ ଏଜେନ୍ସି ବ୍ରଡ଼କାଷ୍ଟ ଅଡ଼ିିଏନ୍ସ ରିସର୍ଚ୍ଚ କାଉଁନସିଲ (ବିଏଆରସି) ଦ୍ୱାରା କରାଯାଇଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି । ଏହି ସଂଖ୍ୟା ଅଲମ୍ପିକରେ ପିଭି ସିନ୍ଧୁ ରୌପ୍ୟ ଜିତିବା ବେଳର ଦର୍ଶକ ସଂଖ୍ୟାକୁ ମଧ୍ୟ ଟପି ଯାଇଛି । ଅଲମ୍ପିକରେ ପିଭି ସିନ୍ଧଙ୍କ ପ୍ରଦର୍ଶନ ବେଳେ ଦର୍ଶକ ସଂକ୍ୟା ଥିଲେ ୧୭.୩ କୋଟି । ଏହାସହ ମହିଳା ବିଶ୍ୱ୍ପକପ୍ ଫାଇନାଲ ମ୍ୟାଚକୁ ସହରୀ ଲୋକଙ୍କ ଠାରୁ ଗାଁରେ ଅଧିକ ସଂଖ୍ୟାରେ ଦେଖିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।