ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ନେଇ ନିଷ୍ପତ୍ତି ନେଇପାରନ୍ତି ମୋଦି

91

କନକ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ମହିଳା ସଶକ୍ତିକରଣ ଦିଗରେ ବଡ଼ ଘୋଷଣା ମୋଦି ସରକାରଙ୍କ ଦ୍ୱାରା କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବେଟି ବଚାଓ ବେଟି ପଢାଓ ସ୍ଲୋଗାନ ଠାରୁ ଆରମ୍ଭ କରି ଗରିବ ମହିଳାମାନଙ୍କୁ ମାଗଣାରେ ରୋଷେଇ ଗ୍ୟାସ ପ୍ରଦାନ କରିବା ଯୋଜନା ତଥା କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରୂପେ ଜଣେ ମହିଳା ନିର୍ମଳା ସୀତାରମଣଙ୍କୁ ପଦ ଦେବା ଏନଡିଏ ସରକାରଙ୍କ ମହିଳା ହିତୈଷୀ ଛବିକୁ ଉପସ୍ଥାପନ କରିଥିବାବେଳେ ଆଗକୁ କିଛି ମହତ୍ତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରାଯିବାର ସମ୍ଭାବନା ଥିବା ସୂତ୍ରରୁ ଜଣାପଡ଼ିଛି । ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ରଲେଖି ମହିଳା ସଂରକ୍ଷଣ ବିଲକୁ ଲୋକସଭାରେ ଗୃହୀତ କରିବାପାଇଁ ଆହ୍ଵାନ ଦେଇଥିବାବେଳେ ବିଜେପି ଦ୍ୱାରା ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ମହିଳା ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ବିଲ୍କୁ ଲୋକସଭାରେ ଗୃହିତ କରିବାପାଇଁ ବିଜେପି ପକ୍ଷରୁ କୌଣସି ଆପତ୍ତି ନଥିବା କୁହାଯାଉଥିବାବେଳେ ରାଜ୍ୟସଭାରେ ୨୦୧୦ରୁ ପାରିତ ହୋଇଥିବା ପୁରୁଣା ବିଲକୁ ଲୋକସଭାରେ ଗୃହୀତ କରାଯିବ ନା’ ନୂଆରୂପେ ବିଲ୍ ଅଣାଯିବ ସେ ନେଇ ବିଜେପି ସମସ୍ତ ଦଳମାନଙ୍କ ସହିତ ସହମତି ପାଇଁ ପ୍ରୟାସ କରିବ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଅପରପକ୍ଷେ ଏକଦା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଥିବା ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳର ସ୍ଥିତି ଲୋକସଭାରେ ଆଦୌ ନଥିବା ଅବସ୍ଥାରେ । ଜନତା ଦଳ(ୟୁନାଇଟେଡ୍) ବର୍ତ୍ତମାନ ଏନଡିଏ ସହ ରହିଛି । ଅତଏବ ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ସଦସ୍ୟଙ୍କ ସଂଖ୍ୟା ବହୁ କମ୍ ରହିଛି । ଏମିତିବି ଲୋକସଭାର ୨୦୧୯ ନିର୍ବାଚନ ଏପ୍ରିଲ, ମେ’ ମଧ୍ୟଭାଗରେ ହେବ, ହେଲେ ସରକାରଙ୍କ ପାଖରେ ୨୦୧୮ର ତିନୋଟି ଅଧିବେଶନ ରହିବ । ତେଣୁ ଚଳିତ ବର୍ଷରେ ହିଁ ମହିଳା ସଂରକ୍ଷଣ ବିଲକୁ ଗୃହୀତ କରାଇବା ନିଷ୍ପତ୍ତି ବିଜେପିକୁ ନେବାକୁ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ମହିଳା ସଶକ୍ତିକରଣ ଦିଗରେ ବିଲ୍କୁ ଗୃହୀତ କରାଇ ବିଜେପି ୨୦୧୯ ନିର୍ବାଚନରେ ଏହାର ଶ୍ରେୟ ନେବାପାଇଁ ମଧ୍ୟ ଚେଷ୍ଟା କରିବ। ବିଜେପି ସୂତ୍ର ଅନୁଯାୟୀ ଆସନ୍ତାବର୍ଷ ବଜେଟ୍ ପର୍ଯ୍ୟନ୍ତ ସରକାରଙ୍କୁ ମହିଳାମାନଙ୍କ ପାଇଁ ଅନେକ ଘୋଷଣା କରିବାକୁ ପଡ଼ିବ । ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଗଠିତ କମିଟି ମହିଳାମାନଙ୍କ ପାଇଁ ନୀତି ଓ ଯୋଜନା ପ୍ରସ୍ତୁତ କରି ତାହାକୁ ତୁରନ୍ତ କ୍ରିୟାନ୍ଵୟନ କରିବାପାଇଁ ସୁପାରିଶ ମଧ୍ୟ କରିଛି । ଅନ୍ୟ ଏକ ସୂଚନା ଅନୁସାରେ ଆରଏସଏସ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଏକ ସର୍ଭେ ମଧ୍ୟ କରାଯାଇଛି । ସର୍ଭେରେ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନାବଳୀର ସେଟ୍ ଦିଆଯାଇଛି ଯେଉଁଥିରେ ପ୍ରଶ୍ନ କରାଯାଇଛି ବର୍ତ୍ତମାନର ସରକାରଙ୍କ ନିକଟରୁ ସେମାନେ କ’ଣ ଆଶା କରୁଛନ୍ତି, ସେମାନଙ୍କ ସମସ୍ୟା କ’ଣ ରହିଛି ଏବଂ ସମସ୍ୟାର ସମାଧାନ କିଭଳି କରାଯାଇପାରିବ । ଆରଏସଏସର ସର୍ଭେ ଶେଷ ହେବାକୁ ୪ମାସ ସମୟ ଲାଗିବ ।

ଏହି ସର୍ଭେ ଆଧାରରେ ସରକାର ମହିଳାମାନଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ମହିଳାମାନେ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲେ। କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବାପରେ ଉଜ୍ଜ୍ୱଳା ଯୋଜନା ଅଧିନରେ ମହିଳାମାନଙ୍କୁ ଗ୍ୟାସ୍ କନେକସନ୍ ଦିଆଗଲା ଏବଂ ଏହା ବେଶ୍ ଲୋକପ୍ରୀୟ ମଧ୍ୟ ହୋଇଛି । ୨୦୧୯ ନିର୍ବାଚନରେ ମହିଳାମାନଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ମୋଦି ସରକାର ସେମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିପାରନ୍ତି ଏବଂ ଏହି ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।