ଅଳିଆ ବୁହା ଗାଡ଼ିରେ ଅନ୍ତିମ ଯାତ୍ରା ! ଅଳିଆ ବୁହା ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ଶବ, ସୋସିଆଲ ମିଡ଼ିଆରେ ହେଲା ଭାଇରାଲ

24

କନକ ବ୍ୟୁରୋ : ହରିଶ୍ଚନ୍ଦ୍ର ଯୋଜନାରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାରେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ପୁଣିଥରେ ଶବକୁ ଅସମ୍ମାନ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲାର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡଷ୍ଟବିନ ବା ଅଳିଆ ଟ୍ରଲିରେ ଶବବୁହା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଘଟଣା ଅନୁଯାୟୀ, ଗତ ୧ ତାରିଖ ଦିନ ସୋରର ତୁଡ଼ିଗଡ଼ିଆ ଛକରେ ଜଣେ ବୃଦ୍ଧାଙ୍କୁ ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ । ପରେ ୧୦୮ ଆମ୍ବୁଲାନ୍ସରେ ମହିଳା ଜଣଙ୍କୁ ଆଣି ସୋର ମେଡ଼ିକାଲରେ ଭର୍ତି କରାଯାଇଥିଲା । ତେବେ ସେହିଦିନ ହିଁ ବୃଦ୍ଧା ଜଣଙ୍କର ମୃତ୍ୟୁ ବରଣ କରିଥିଲେ । କିନ୍ତୁ ପରିଚୟ ନ ମିଳିବାରୁ ୩ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ି ରହିଥିଲା ଶବ । ତେବେ ୩ ଦିନ ପରେ ସୋର ପୋଲିସ ବୃଦ୍ଧାଙ୍କ ମୃତଦେହକୁ ସୋର ପୌରପାଳିକାକୁ ହସ୍ତାନ୍ତର କରିଥିଲେ ।

ଏକ କଳା ପଲିଥିନରେ ବୃଦ୍ଧାଙ୍କ ମୃତଦେହ ବନ୍ଧା ଯାଇଥିବା ବେଳେ ଏହାକୁ ଅଳିଆ ବୁହା ଟ୍ରଲିରେ ପକାଇ ନେଉଥିବାର ଦେଖିବାକୁ ମିଳିଥିଲା । ବୃଦ୍ଧାଙ୍କ ମୃତଦେହକୁ ଅଳିଆ ଟ୍ରଲିରେ ବଜାର ଭିତରେ ନେଉଥିବା ବେଳେ ଅନେକ ଲୋକ ଏହାକୁ ବିରୋଧ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏନେଇ ସୋର ପୌରପାଳିକା ଅଧିକାରୀଙ୍କ କହିବା ଅନୁଯାୟୀ, ଏଭଳି ଏକ ସମ୍ବେଦନଶୀଳ ଘଟଣାର ଯାଞ୍ଚ କରାଯାଉଛି । କିଭଳି ଜଣେ ବୃଦ୍ଧାଙ୍କ ମୃତଦେହକୁ ଅଳିଆ ବୁହା ଟ୍ରଲିରେ ନିଆ ଯାଉଥିଲା ।