ନିୟମଗିରିର ଅପା ଭାବେ ପରିଚିତ ଶାନ୍ତନୁ ମହାପାତ୍ର । ଡଙ୍ଗରିଆ କନ୍ଧ ପିଲାଙ୍କୁ ପାଠ ପଢାଇ ମୁଖ୍ୟ ସ୍ରୋତାରେ ସାମିଲ କରିବା ପାଇଁ ୨୧ବର୍ଷ ଧରି ଜାରି ରଖିଛନ୍ତି ସଂଗ୍ରାମ

ଜଗତସିଂହପୁର ଜନ୍ମ ନେଇ ନିୟମଗିରିକୁ ବାଛିଛନ୍ତି କର୍ମଭୂମି

128

କନକ ବ୍ୟୁରୋ: ନିୟମଗିରିର ଅପା କହିଲେ ସମସ୍ତେ ବୁଝନ୍ତି ୬୫ବର୍ଷୀୟା ଶାନ୍ତନୁ ମହାପାତ୍ରଙ୍କୁ । ଘର ଜଗତସିଂହପୁରର ହେଲେ କର୍ମଭୂମି ବାଛିଛନ୍ତି ନିୟମଗିରିକୁ । ନିୟମଗିରିରେ ଥିବା ଅନ୍ଧବିଶ୍ୱାସର ଅନ୍ଧକାର ଛାତିକୁ ଚିରି ଆଦିମ ଜନଜାତିର ପିଲାଙ୍କୁ ନୂଆ ସୂର୍ଯ୍ୟୋଦୟ ଦେଖାଉଛନ୍ତି ଶାନ୍ତନୁ ଅପା । ଟାଙ୍ଗିଆ ବଦଳରେ ହାତରେ ଧରାଇଛନ୍ତି ଖଡି, କଲମ ଓ ବହି । ପରିଣତ ବୟସରେ ତାଙ୍କର ଗୋଟିଏ ଲକ୍ଷ୍ୟ ଡଙ୍ଗରିଆ ପିଲାଙ୍କ ଭିତରେ ଶିକ୍ଷାର ପ୍ରଦୀପ ଜାଳିବା । ବିଶ୍ୱ ମହିଳା ଦିବସରେ ପଢନ୍ତୁ ସ୍ୱତନ୍ତ୍ର ରିପୋର୍ଟ..

ନିୟମଗିରିର ପାହାଡ ଖୋଳରୁ ପ୍ରତ୍ୟହ ସକାଳୁ ଭାସିଆସୁଛି ରଘୁପତି ରାଘବ ରାଜାରାମ ସହ ଅ, ଆର ଡାକ । ଏ ହେଉଛି ଖମ୍ବେସୁ ଗାଁରେ ଥିବା ଶାନ୍ତନୁ ଅପାଙ୍କ ନଡା ଛପର ଘେରା କସ୍ତୁରବା ଆଶ୍ରମ । ୧୯୯୮ମସିହାରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ସେବା କରିବା ପାଇଁ ଖମ୍ବେସୁରେ ଥିବା କସ୍ତୁରବା ଗାନ୍ଧି ତାଲିମ କେନ୍ଦ୍ରରେ ସେବିକା ଭାବେ ଯୋଗଦେଇଥିଲେ ଶାନ୍ତନୁ । ଏଭଳି ଦୁର୍ଗମ ଅଂଚଳରେ ସେତେବେଳେ କଥାକଥାକେ ଭରି ରହିଥିଲା ଅନ୍ଧବିଶ୍ୱାସ । ସେହି ଦିନଠାରୁ ଶାନ୍ତନୁ ଅପା ନିଷ୍ପତି ନେଇଥିଲେ ଡଙ୍ଗରିଆ କନ୍ଧ ପିଲାଙ୍କୁ ପାଠ ପଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ । ଦୀର୍ଘ ୨୧ବର୍ଷ ଧରି ସେ ଅବିରତ ଭାବେ ଏହି ପ୍ରୟାସ ଜାରି ରଖିଛନ୍ତି ।

ଶାନ୍ତନୁ ମହାପାତ୍ରଙ୍କ ନିଷ୍ଠାପର ସାଧନା ଓ ସେବା ମନୋବୃତି ଯୋଗୁଁ ଡଙ୍ଗରିଆମାନେ ଉତ୍ସାହର ସହ ନିଜ ପିଲାଙ୍କୁ ଆଶ୍ରମ ମୁହାଁ କରିଛନ୍ତି । ପିଲାଙ୍କ ହାତଧରି ପାଠ ପଢେଇ ଶାନ୍ତନୁ ମହାପାତ୍ରରୁ ଡଙ୍ଗରିଆଙ୍କ ଅପା ଭାବରେ ବେଶ ଖ୍ୟାତି ଅର୍ଜନ କରିପାରିଛନ୍ତି ସେ । ତେବେ ବିନା ସରକାରୀ ସହାତାରେ ୨୧ବର୍ଷର  ସଂଗ୍ରାମରେ ଦିନ ଟିଏ ହାରି ନାହାନ୍ତି କି ଥକି ପଡିନାହାନ୍ତି ଶାନ୍ତନୁ ମହାପାତ୍ର ।