ଅଭିନବ ଉପାୟରେ ସଚେତନତା ! ବିବାହ ନିମନ୍ତ୍ରଣ କାର୍ଡରେ ଛାପିଲେ ଟ୍ରାଫିକ ନିୟମ ।

105

ଏପ୍ରିଲ ୧୯ ତାରିଖ ରାଜସ୍ଥାନ ଭରତପୁର କୁମହେର ଅଞ୍ଚଳର ବେଲାରା କଲା ଗାଁରେ ଏକ ବିବାହର ଆୟୋଜନ ହେବାକୁ ଯାଉଛି । ବାହାଘରକୁ ୧୦ ଦିନ ସମୟ ଥିଲେ ମଧ୍ୟ ଏହାର ଚର୍ଚ୍ଚା ଏବେଠାରୁ ଶୁଣିବାକୁ ମିଳୁଛି । ସାଧାରଣତଃ ରାଜସ୍ଥାନରେ ଭବ୍ୟ ବିବାହର ଆୟୋଜନକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏଠାରେ ବିବାହ ନିମନ୍ତ୍ରଣ କାର୍ଡକୁୁ ନେଇ ଚର୍ଚ୍ଚା ଦେଖାଦେଇଛି । ଏହି କାର୍ଡରେ ଟ୍ରାଫିକ ନିୟମ ଲେଖାହେବା ଦେଖାଦେଇଛି ।
ଏହି ବିବାହ ନିମନ୍ତ୍ରଣ କାର୍ଡକୁୁ ଛପାଇଥିବା ମହିଳା ଜଣକ ହେଉଛନ୍ତି ଭରତପୁର ଟ୍ରାଫିକ ପୋଲିସରେ କାର୍ଯ୍ୟରତ ମହିଳା ପୋଲିସ ସବ୍ ଇନ୍ସପେକ୍ଟର ମଞ୍ଜୁ ଫୋଜଦାର । ଏପ୍ରିଲ ୧୯ରେ ମଞ୍ଜୁ ପେସାରେ ଶିକ୍ଷକ ଥିବା ହରବୀର ସିଂହଙ୍କୁ ବିବାହ କରିବାକୁ ଯାଉଛନ୍ତି । ଟ୍ରାଫିକ ବିଭାଗରେ ଥାଇ ନିୟମର ସମ୍ମାନ କରୁଥିବା ମଞ୍ଜୁ ନିଜ ବିବାହ କାର୍ଡରେ ମଧ୍ୟ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ନିମନ୍ତ୍ରଣ କାର୍ଡରେ ସର୍ବମୋଟ ୬ ଟି ନିୟମ ଉପରେ ଲେଖାଯାଇଛି ।
ଏଭଳି ଏକ ପଦକ୍ଷେପ ନେବାର କାରଣରେ ମଞ୍ଜୁ କୁହନ୍ତି, ପ୍ରତିଦିନ ସେ ଓ ତାଙ୍କ ଟିମ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାନ୍ତି । କିଛି ଲୋକ ନିୟମ ଅଭାବରୁ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ମଞ୍ଜୁ ବିବାହ ପାଇଁ ଛୁଟି ନେଉଥିବାରୁ ସେ କିଛିଦିନ ପାଇଁ ଡ୍ୟୁଟିରେ ଉପସ୍ଥିତ ରହିବେ ନାହିଁ ତେଣୁ ସେ ବିବାହକୁ ଆସୁଥିବା ଅତିଥିଙ୍କୁ ସତର୍କ କରିବା ପାଇଁ କାର୍ଡରେ ଟ୍ରାଫିକ ନିୟମ ବିଷୟରେ ଛାପିଥିଲେ ।
ମଞ୍ଜୁ କୁହନ୍ତି ତାଙ୍କ ବାପା ଈଶ୍ୱର ସିଂହ ମଧ୍ୟ ଜଣେ ପୋଲିସ କର୍ମଚାରୀ ଥିଲେ । ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଦାଦାଙ୍କ ମୃତ୍ୟୁ ମଧ୍ୟ ଅବିକଳ ସଡକ ଦୁର୍ଘଟଣାରେ ହିଁ ହୋଇଥିଲା । ମା’ଙ୍କ ପ୍ରୟାସ ଏବଂ ମଞ୍ଜୁଙ୍କ ପରିଶ୍ରମ ଫଳରେ ସେ ଆଜି ଜଣେ ସଫଳ କର୍ମଚାରୀ ରୂପେ ଠିଆ ହୋଇ ପାରିଛନ୍ତି । ସବୁବେଳେ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ଅବଗତ କରାଉଥିବା ମଞ୍ଜୁ ବିବାହ ସମୟରେ ମଧ୍ୟ ଏହି ମହତ କାର୍ଯ୍ୟକୁ ଜାରି ରଖିଥିଲେ ।