ବିରୋଧୀଙ୍କୁ ମାତ ଦେଲା ବିଜେଡିର ମହିଳା କାର୍ଡ : ବିଜୟୀ ହେଲେ ୭ରୁ ୦୫ ବିଜେଡି ମହିଳା ଲୋକସଭା ପ୍ରାର୍ଥୀ,ବିରାଟ ଭୋଟ ବ୍ୟବଧାନରେ ସଂସଦକୁ ଯିବେ ପ୍ରମିଳା ବିଶୋୟୀ

1,448

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ମିଳିଛି ବିଜେଡିକୁ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ । ୨୧ ଲୋକସଭା ଆସନରେ ବିଜେଡି ୭ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୫ଟି ଆସନରେ ସଫଳତା ପାଇଛି ଦଳ ।

ପ୍ରମିଳା ବିଶୋୟୀ :
ଆସ୍କାରୁ ଏସଏଚଜିର ଜଣେ ମହିଳାଙ୍କୁ ସଂସଦକୁ ପଠାଇବା ପାଇଁ ନିଷ୍ପତି ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀର ମାଆର ପରିଚୟରୁ ସାଂସଦ ବନିବାକୁ ଯାଉଛନ୍ତି ପ୍ରମିଳା ବିଶୋୟୀ । କଂଗ୍ରେସ-ସିପିଆଇ ମେଂଟର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଓ ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ବହୁ ପଛରେ ଛାଡି ଦେଇଛନ୍ତି ବାଜି ଜିତି ନେଇଛନ୍ତ ପ୍ରମିଳା ।

ରାଜଶ୍ରୀ ମଲ୍ଲିକ :
ତିର୍ତ୍ତୋଲରୁ ବିଧାୟକ ରହିଥିବା ରାଜଶ୍ରୀଙ୍କୁ ଜଗତସିଂହପୁରର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ବିଜେଡ଼ି ସୁପ୍ରିମୋଙ୍କୁ ନିରାଶ କରିନାହାନ୍ତି ରାଜଶ୍ରୀ ମଲ୍ଲିକ । ବିଜେପି ପ୍ରାର୍ଥୀ ବିଭୁ ତରାଇଙ୍କୁ ୨୭୧୬୫୫ ଭୋଟରେ ହରାଇ ଗଡ଼ ରକ୍ଷା କରିଛନ୍ତି ।

ଶର୍ମିଷ୍ଠା ସେଠୀ :
ଜଣେ ପ୍ରଶାସିକାରୁ ନେତ୍ରୀ ପାଲଟିଥିବା ଶର୍ମିଷ୍ଠାଙ୍କ ପାଇଁ ଏବେ ସଂସଦକୁ ଯିବା ବାଟ ପରିଷ୍କାର ହୋଇଛି । ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜେପି ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକଙ୍କୁ ୧୦୧୬୯୩ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ।

ଚନ୍ଦ୍ରାଣୀ ମୁର୍ମୁ :

ଇଞ୍ଜିନିୟରିଂ ଛାତ୍ରୀରୁ ରାଜନୀତିକୁ ଡେଇଁଥିଲେ ଚନ୍ଦ୍ରାଣୀ ମୁର୍ମୁ । କେନ୍ଦୁଝର ଲୋକସଭା ଆସନରେ ତାଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ପ୍ରାର୍ଥୀ କରିଥିଲା । ସୁପ୍ରିମୋଙ୍କ ନିଷ୍ପତିକୁ ଠିକ୍ ପ୍ରମାଣ କରି ରାଜନୈତିକ ରଣକ୍ଷେତ୍ରରେ ସଫଳ ହୋଇଛନ୍ତି ଚନ୍ଦ୍ରାଣୀ ।

ମଞ୍ଜୁଲତା ମଣ୍ଡଳ :
ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତାଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା । ବିଜେଡି ନେତା ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳ ମଧ୍ୟ ନିଜ ପ୍ରତୀଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଠାରୁ ୨୮୮୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

କୌଶଲ୍ୟା ହିକକା :
କୋରାପୁଟର ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ । ଶିକ୍ଷକତା ଛାଡି କୋରାପୁଟ ଲୋକସଭା ମଇଦାନରେ ଓହ୍ଲାଇଥିଲେ କୌଶଲ୍ୟା । ବିଜେଡି ସୁପ୍ରିମୋ ଯେପରି ଆଶା କରୁଥିଲେ, ସେହି ଅନୁରୂପ ପ୍ରଦର୍ଶନ କରିଥିଲେ ଜିତି ପାରିନାହାନ୍ତି କୌଶଲ୍ୟା ।

ସୁନିତା ବିଶ୍ୱାଳ :
ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ବିଜେଡି ତାଙ୍କୁ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା । ହେଲେ ବିଜେଡିର ଏହି ରଣନୀତି କାମ କରିନାହିଁ । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମାତ୍ ଦେଇପାରିନାହାନ୍ତି ସୁନୀତା ।