ଅନ୍ୟପାଇଁ ଉଦାହରଣ କୋରାପୁଟର ଆଦିବାସୀ ମହିଳା ! ଆମ୍ବ ଉତ୍ପାଦନରେ ସାଜିଛନ୍ତିି ନୂଆ ମିଶାଲ ! ସହଯୋଗର ହାତ ବଢ଼ାଇଛନ୍ତି ସରକାର

86

କନକ ବ୍ୟୁରୋ: କୁହାଯାଏ ବିନାଶ୍ରୟେ ନବର୍ତ୍ତନ୍ତି କବିତା ବନିତା ଲତା । ପୁଣି କୁହାଯାଏ ନାରୀ ଅବଳା ଆଉ ଦୁର୍ବଳା । ଘର ଭିତରେ ରହିବା ତାର କାମ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀକୁ ସେତେଟା ଗୁରୁତ୍ୱ ଦିଆଯାଏନି । ହେଲେ ଆମ ସମାଜରେ ଏମିତି କିଛି ମହିଳା ଅଛନ୍ତିି ଯେଉଁମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।ସେମିତି ଜଣେ ପ୍ରେରଣାଦାୟିନୀ ହେଉଛନ୍ତି କୋରାପୁଟର ପୁସେ ମିନ୍ୟାକା ।

କୋରାପୁଟର ଏକ ଛୋଟ ଆଦିବାସୀ ଗାଁ । ସେଇଠି ନିଜ ପରିବାର ସହ ରୁହନ୍ତିି ପୁସେ ମିନ୍ୟାକା । ଆଦିବାସୀ ଅଧ୍ୟୁଷିତ ଇଲାକାରେ ପରିବାରର ଭରଣ ପୋଷଣ କରିବାର ଦାଇତ୍ୱ କେବଳ ପୁସେଙ୍କ ଉପରେ । ମାନେ ସେ ହିଁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ପରଘରେ ପାଇଟି କରି କି ମୂଲ ଲାଗି ଯାହା ଆଣନ୍ତି ସେତିକିରେ ତିନି ଛୁଆଙ୍କ ପାଠପଢ଼ା ସହ ପରିବାର ଚଳେ ।

ଦିନକୁ ଦିନ ପିଲାମାନେ ବଡ ହେଉଥିବାରୁ ପୁସେଙ୍କ ଚିନ୍ତା ବଢ଼ିବାରେ ଲାଗେ ଆଉ ଠିକ ସେତିକି ବେଳେ ପୁସେଙ୍କ ମୁଣ୍ଡରେ ଜୁଟେ ଏକ ସୁନ୍ଦର ଉପାୟ । ପରଘରେ ପାଇଟି କରିବା ଠୁ ଭଲ ହେବ ନିଜ ଜମିରେ ଚାଷ କରିବା । ଯେତେ କଷ୍ଟ ହେଉ ପଛେ, ନିଜ ଜମିରେ ଚାଷ କରିବାକୁ ପ୍ରତିଜ୍ଞା ନିଅନ୍ତିି ପୁସେ ମିନ୍ୟାକା । ବାସ୍ ପୁସେ ଆରମ୍ଭ କରନ୍ତି ଆମ୍ବ ଚାଷ । ଓଡିଶାର ସବୁଠୁ ଅଧିକ ଚାହିଦା ଥିବା ଆମ୍ରପଲ୍ଲୀ ଓ ମଲ୍ଲିକା ନାମକ ଦୁଇଟି କିସମର ଆମ୍ବ ଚାଷ କଲେ ସେ ।

ଧିରେଧିରେ ପୁସେଙ୍କ ହାତ ତିଆରି ଏହି ଆମ୍ବ କ୍ଷେତ ହସିଉଠେ । ସବୁଜିମାରେ ଭରିଯାଏ ଆମ୍ବ କିଆରୀ । ନିଜ ହାତରେ ପୋତିଥିବା କୁନିଗଛରେ ବଉଳ ଧରିବା ଦେଖି ଆନନ୍ଦିତ ହୁଅନ୍ତି ପୁସେ । ଜଣେ ସ୍ୱାଭିମାନୀ ଭାବେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ପୁସେ ମିନ୍ୟାକାଙ୍କୁ ଖୁସି ଆଣିଦେଇଛି ଏହି ଆମ୍ବ ବ୍ୟବସାୟ ।

୨୦୧୫ରେ ବଜାରକୁ ଯିବାକୁ ଡରୁଥିଲେ ପୁସେ । କାରଣ ପାଖରେ ଟଙ୍କା ନଥିବାରୁ ବଜାରକୁ ଗଲେ କଣ ଆଣିବେ ଭାବୁଥିଲେ ସେ । ହେଲେ ୨୦୧୬ରେ ନିଜ ଆମ୍ବ କିଆରୀ ତାଙ୍କୁ ବଞ୍ଚିବାର ନୂଆ ରାହା ଦେଇଛି । ବଜାରକୁ ଖାଲି ହାତରେ ନୂହେଁ ନିଜ କ୍ଷେତର ଲାଭଜନକ ଆମ୍ବ ଝୁଡି ନେଇ ଯାଉଛନ୍ତି ସେ । ବେଶ ଦି ପଇସା ଲାଭ ବି ହେଉଛି । ଯାହାଦ୍ୱାରା ପରିବାର ଚଳାଇବାରେ କୌଣସି ଅସୁବିଧା ହେଉନାହିଁ ବୋଲି କୁହନ୍ତି ପୁସେ ।

୨୦୧୬ ଅପ୍ରେଲରେ କୋରାପୁଟ, ରାୟଗଡା ଓ ଗଜପତିକୁ ନେଇ ଓଡିଶା ଜୀବିକା ମିଶନ ଦ୍ୱାରା ପ୍ରତିଷ୍ଠିତ ଉତ୍ପାଦକ ସମୂହର ସଭ୍ୟ ହେଲେ ପୁସେ । ଏହାପରେ ତାଙ୍କ ଜୀବନ ଓ ଜୀବିକାରେ ଆସିଲା ନୂଆମୋଡ । ବିଦ୍ୟାଳୟର ବାରଣ୍ଡା ବି ମାଡି ନଥିବା ପୁସେ ନିଜ ମେହନତ ବଳରେ ଏହି ସମୂହକୁ ପରିଚାଳନା କରୁଛନ୍ତି । ତାଙ୍କ ପରିଶ୍ରମ ପାଇଁ ସେ ଅନ୍ୟମାନଙ୍କୁ ଆମ୍ବ ଚାଷ ସଂପର୍କିତ ଶିକ୍ଷା ଦେଉଛନ୍ତିି ।

ଏହି ମିଶନ, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଅନେକ ପଦକ୍ଷେପ ନେଉଛି । ଯେଉଁମାନେ ପାଠ ପଢ଼ିନାହାଁନ୍ତିି ସେମାନଙ୍କୁ ଜୀବନ ଜିଇଁବାର ହିସାବକିତାବ ପଢ଼ାଉଛି । ଗୋଟିଏ ବର୍ଷରେ ପୁସେଙ୍କ ରୋଜଗାର ଦୁଇଗୁଣା ବଢ଼ିଛି । ଏବେ ବଜାରରେ ତାଙ୍କ କ୍ଷେତର ଆମ୍ବର ଢ଼େର ଚାହିଦା । କାହିଁ କେଉଁ ଦୂରରୁ ବ୍ୟବସାୟୀ ଭିଡ ଲଗାଉଛନ୍ତି ଏହି ଦୁଇ କିସମର ଆମ୍ବ ନେବା ପାଇଁ । ଓଡିଶା ଭିତରେ ନୁହେଁ, ଓଡିଶା ବାହାରେ ବି ଲୋକଙ୍କ ପସନ୍ଦ ପାଲଟିଛି ଏହି ଆମ୍ବ ।

ଏବେ କିଲୋପ୍ରତି ପ୍ରାୟ ୪୦ଟଙ୍କା ଲାଭ କରିପାରୁଛନ୍ତି ପୁସେ । ଆମ୍ବ ବ୍ୟବସାୟ ତାଙ୍କ ପିଲାଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି । ତେବେ କୋରାପୁଟର ପ୍ରାୟ ୮୦୦ ମହିଳା ଏବେ ପୁସେଙ୍କ ରାସ୍ତାରେ । ପାଖାପାଖି ୧୪ କିସମର ଆମ୍ବ ଉତ୍ପାଦନ ହେଉଛି ଏମାନଙ୍କ ହାତରୁ । ସମସ୍ତେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ , ରାଜ୍ୟ ସରକାର ଓ ୟୁଏନଡିପିର ମିଳିତ ଭାଗିଦାରୀର ସୁଫଳ ପାଉଛନ୍ତିି ।

ଆମ୍ବ ଉତ୍ପାଦନରେ ବିଶ୍ୱରେ ରେକର୍ଡ କରିଛି ଭାରତ । କେବଳ ୨୦୧୪ବର୍ଷରେ ଭାରତ ପ୍ରାୟ ୪୫ହଜାର ଟନ ଆମ୍ବ ବିଦେଶକୁ ରପ୍ତାନୀ କରିଛି । ଯାହାଦ୍ୱାରା ୫୦ମିଲିୟନ ଆମେରିକୀୟ ଡଲାର ଭାରତକୁ ଆସିଥିବା ଜଣାପଡିଛି । ଏ ରେକର୍ଡରେ ଓଡିଶା ମଧ୍ୟ ପଛରେ ପଡିନି । ହେଲେ ଉଚିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ଉତ୍ପାଦିତ ହେଉଥିବା ହଜାର ହଜାର ଟନ ଆମ୍ବ ନଷ୍ଟ ହେଉଛି । କିନ୍ତୁ ଏହି ବୁଝାମଣା ପରେ ଏବେ ନଷ୍ଟର ଭୟ ନାହିଁ । କାରଣ ଉତ୍ପାଦିତ ଆମ୍ବର ବିକ୍ରିି ପାଇଁ ସୁବିଧା କରାଯାଇଛି ।

ଥରେ ଆମ୍ବ ଗୁଡିକୁ ପ୍ୟାକ କରାଗଲା ପରେ ଏଗୁଡିକୁ ଟ୍ରକରେ ଲୋଡ କରାଯାଏ । ଏହାପରେ ଏସବୁକୁ ବାହାର ରାଜ୍ୟ କିମ୍ବା ନିକଟତମ ବଡ ବଜାରକୁ ବିକ୍ରିି ପାଇଁ ନିଆଯାଏ । ଏମିତିକି ଆମ୍ବର ଉଚିତ ମୂଲ୍ୟ ଦେଇ ଆମ୍ବ ବଗିଚା ଠାରୁ ବେପାରୀ କିଣି ନେଉଛନ୍ତି ଯାହାଦ୍ୱାରା ବ୍ୟବସାୟ ଅଧିକ ଲାଭଜନକ ହେଉଛି ବୋଲି ପୁସେ କୁହନ୍ତି । ଏହାସହ ସମସ୍ତେ ତାଙ୍କ ରାସ୍ତାରେ ଆସି ସ୍ୱାଭିମାନର ସହ ବଂଚିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅନ୍ତୁ ବୋଲି ସେ କହିଛନ୍ତି ।