ବିବାହ ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିବା ସ୍ୱାମୀଙ୍କୁ କହିଲେ ସ୍ତ୍ରୀ ! ଦୂରେଇ ନଦେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

27

କନକ ବ୍ୟୁରୋ : ସ୍ୱାମୀଙ୍କ ଆଗରେ ବିବାହ ପୂର୍ବରୁ ହୋଇଥିବା ଦୁଷ୍କର୍ମ ସଂପର୍କରେ ଖୁଲାସା କଲେ ସ୍ତ୍ରୀ । କିଭଳି ଏକ ପରିସ୍ଥିତିର ଫାଇଦା ଉଠାଇ ଜୋରଜବଦସ୍ତ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଯାଇଥିଲା ସେନେଇ ସ୍ୱାମୀଙ୍କ ଆଗରେ ସବୁକଥା କହିଥିଲେ ପତ୍ନୀ । ଧମକ ଚମକ ଦେଇ ଭୟଭିତ କରି ଶାରୀରିକ ସଂପର୍କ ସ୍ଥାପନ କରିଥିଲା ଅଭିଯୁକ୍ତ । ଏପରିକି ତାର ଅନ୍ୟ ତିନିଜଣ ସାଙ୍ଗ ମଧ୍ୟ ସମସ୍ତଙ୍କ ଆଗରେ କଥା ପ୍ରଘଟ କରିଦେବାର ଭୟ ଦେଖାଇ ଜଣଜଣ କରି ବାରମ୍ବାର ଦୁଷ୍କର୍ମ କରିଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି ପତ୍ନୀଙ୍କ ଏଭଳି ଅତୀତ ସଂପର୍କରେ ଜାଣିବା ପରେ ସହଯୋଗର ହାତ ବଢାଇଥିଲେ ସ୍ୱାମୀ । ଧର୍ଷିତା ହୋଇଥିବା ଜାଣି ମଧ୍ୟ ତାଙ୍କୁ ଦୂରେଇ ଦେଇନଥିଲେ ବରଂ ଏହି ଲଢେଇରେ ପତ୍ନୀଙ୍କୁ ସାଥ୍ ଦେବାକୁ ଅଂଟା ଭିଡିଥିଲେ । ପତ୍ନୀଙ୍କୁ ନ୍ୟାୟ ଦେବାପାଇଁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଖୋର୍ଦ୍ଧା ଥାନାରେ ଏତଲା ଦେଇଥିଲେ । ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜେଶ ରଞ୍ଜନ ରାଉତରାୟଙ୍କୁ ଗିରଫ କରିଛି ।

ପୀଡିତା ଜଣକ ରାଜେଶ ରଞ୍ଜନଙ୍କ ସହ ବାବୁଲା, ତାଙ୍କର ଜଣେ ସାଙ୍ଗ ଓ ମନୋଜ କୁମାର ବିଶୋଇଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏମାନେ ଫେରାର ଥିବା ବେଳେ ପୁଲିସ ତନାଘନା ଚଳାଇଛି । ନିଜ ପୀଡିତା ପତ୍ନୀଙ୍କୁ ନ୍ୟାୟ ଦେବା ପାଇଁ ଖୋଦ ସ୍ୱାମୀ ଆଗକୁ ଆସିବା ଓ ପୋଲିସ ପାଖରେ ପହଂଚିବା ପୂରା ସମାଜ ପାଇଁ ଉଦାହରଣ ହୋଇଛି ।