ମଦ ବିରୋଧରେ ମହିଳାଙ୍କ ଗର୍ଜନ ! କେନ୍ଦୁଝରରେ ଏକାଠି ହେଲେ ହଜାର ହଜାର ମହିଳା, କହିଲେ, ମଦ ବନ୍ଦ ନକଲେ କରିବେ ଭୋଟ୍ ବର୍ଜନ ।

114

କନକ ବ୍ୟୁରୋ : ମଦୁଆ ସରକାରକୁ ଭୋଟ ନାହିଁ, ଭୋଟ ଦରକାର ତ ମଦକୁ ଛାଡ, କାନ ଖୋଲକି ଶୁଣ ସରକାର, ମଦ ଆମର ଦରକାର ନାହିଁ, ଏପରି ନାରାରେ ଆଜି କମ୍ପିଥିଲା କେନ୍ଦୁଝର ସହର । ରାଜରାସ୍ତାରେ ହଜାର ହଜାର ମହିଳା ହାତରେ ବ୍ୟାନର ଓ ପ୍ଲାଗକାର୍ଡ ଧରି ଏପରି ପ୍ରତିବାଦ କରିଥିଲେ । ମଦ ବନ୍ଦ ନକଲେ ଏଥର ଭୋଟ ଦେବୁ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ମହିଳା ।

ମଦକୁ ହଁ ତ ଭୋଟକୁ ନାଁ । ମଦ ବିରୋଧରେ ଗର୍ଜିଲେ ମହିଳା । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମହିଳାମାନେ ମଦ ବିରୋଧରେ ଅଭିନବ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ କେନ୍ଦୁଝର ଶାଖା ପକ୍ଷରୁ ୨ ହଜାରରୁ ଅଧିକ ମହିଳା କେନ୍ଦୁଝର ସହରରେ ମଦ ବିରୋଧରେ ଗର୍ଜନ କରିଛନ୍ତି । ସ୍ଥାନୀୟ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ମହିଳାମାନେ ମଦବିରୋଧୀ ନାରା ଦେଇ ସହର ପରିକ୍ରମା କରିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମଦ ବନ୍ଦ କର ଭୋଟ ନିଅ ।

ମଦ ଯୋଗୁଁ ସ୍ୱାମୀ, ବାପା ଓ ପୁଅ ବିପଥଗାମୀ ହେଉଛନ୍ତି । ନାରୀମାନେ ନିର୍ଯାତନାର ଶିକାର ହେଉଛନ୍ତି । ତେଣୁ ଯେପର୍ଯ୍ୟନ୍ତ ମଦ ବନ୍ଦ ନହୋଇଛି ନାରୀ ଶଶକ୍ତି କରଣ ସମ୍ଭବ ହେବ ନାହିଁ । ତେଣୁ ସରକାର ତୁରନ୍ତ ମଦ ବନ୍ଦ କରନ୍ତୁ ନଚେତ ଆଗାମୀ ନିର୍ବାଚନରେ ଏହାର ଫଳ ଭୋଗିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି । ମଦ ବିରୋଧୀ ଆନ୍ଦୋଳନ ସାରା ରାଜ୍ୟରେ ଜୋର ଧରିଥିବା ବେଳେ ଆଜି କେନ୍ଦୁଝରରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା ।