ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ ! ଡାମନ୍ ଆଣ୍ଡ୍ ଡିଉ ସରକାରଙ୍କ କଡା ନିର୍ଦ୍ଦେଶ

60

ସମସ୍ତ ସରକାରୀ ଅଫିସରେ ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ । ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଡାମନ୍ ଆଣ୍ଡ୍ ଡିଉ ସରକାର । ଏନେଇ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ରାକ୍ଷୀ ପୂର୍ଣ୍ଣମୀ ଦିନ ଅର୍ଥାତ୍ ଚଳିତ ମାସ ୭ ତାରିଖରେ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ । ସମସ୍ତ କର୍ମଚାରୀ ସେଦିନ ଉପସ୍ଥିତ ରହିବେ । ଏବଂ ମହିଳା କର୍ମଚାରୀ ସେମାନଙ୍କ ପୁରୁଷ ସହକର୍ମୀଙ୍କୁ ରାକ୍ଷୀ ପିନ୍ଧାଇବେ ।

ଏହା ସହ ସମସ୍ତ କର୍ମଚାରୀ ସେହି ଦିନ ଅଫିସରେ ଉପସ୍ଥିତ ଥିଲେ କି ନାହିଁ ପରଦିନ ଆଟେଣ୍ଡାନ୍ସ ରିପୋର୍ଟ ମଧ୍ୟ ପଠାଇବାକୁ କହିଛି ଡାମନ୍ ଆଣ୍ଡ୍ ଡିଉ ସରକାର । ତେବେ ଏହି ନିର୍ଦ୍ଦେଶ ପରେ ଏବେ ଅନେକ ପ୍ରଶ୍ନ ଉଠିଛି । ଯଦି କୌଣସି ଦମ୍ପତି ବା ପ୍ରେମୀଯୁଗଳ ଗୋଟିଏ ଅଫିସରେ କାମ କରନ୍ତି ତେବେ ସେମାନେ କଣ କରିବେ ।

ତେବେ ଏହାକୁ ଘୋର ବିରୋଧ କରିଛନ୍ତି ସାମାଜିକ କର୍ମୀ ନମ୍ରତା ଚଢ଼ା । କନକ ନ୍ୟୁଜକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି , ରାକ୍ଷୀ ବନ୍ଧିବା ଏକ ପାରିବାରିକ ପର୍ବ । କିନ୍ତୁ ଏହାକୁ ନେଇ କାହାକୁ ଜବରଦସ୍ତ କରିବା ଉଚିତ୍ ନୁହେଁ । କାରଣ ଏହା ଏକ ସମ୍ବେଦନଶୀଳ ସଂପର୍କ । ହୃଦୟରୁ ଭାଇ କିମ୍ବା ଭଉଣୀର ସ୍ନେହ ଓ ସମ୍ମାନ ନଆସି ରାକ୍ଷୀ ପିନ୍ଧାଇବା ଅର୍ଥ ଉଭୟ ସଂପର୍କ ଏବଂ ରାକ୍ଷୀର ଅବମାନନା କରିବା ।