ମହିଳାଙ୍କ ପାଇଁ ସହଜ ନୁହେଁ ରାଜନୀତି! କିନ୍ତୁ ସଂର୍ଘଷମୟ ଜୀବନ ଭିତରେ ରାଜନୀତିରେ ଦକ୍ଷତା ଦେଖାଇଛନ୍ତି ମମିତା ନାଗ

45

କନକ ବ୍ୟୁରୋ : ପୁରୁଷ ପ୍ରଧାନ ସମାଜରେ ସାଧାରଣତଃ ନିଷ୍ପତି ନେବାର ଅଧିକାର ମହିଳାଙ୍କର ନଥାଏ । ସେଥିପାଇଁ ତ, ରାଜନୀତିକୁ ଆସି ନେତୃତ୍ୱ ନେବାରେ ମହିଳାଙ୍କ ସଂଖ୍ୟା ବହୁତ୍ କମ୍ । ଘର ଚାରିକାନ୍ଥରୁ ବାହାରି ରାଜନୀତିକୁ ଆସିବାକୁ କମ୍ ସଂଘର୍ଷ କରିବାକୁ ପଡେନି ମହିଳାଙ୍କୁ । ଆଉ ଯେଉଁଠି ମହିଳାଙ୍କୁ ସୁଯୋଗ ମିଳିଛି , ନିଜ ଦକ୍ଷତା ଦେଖାଇଛନ୍ତି ମହିଳା । ଜାଣନ୍ତୁ ଏଭଳି ଜଣେ ଏକାକି ମହିଳାଙ୍କ ସଂଘର୍ଷର କାହାଣୀ ।

ମମିତା ନାଗ । କଳାହାଣ୍ଡି ଜିଲ୍ଲା କର୍ଲାଖୁଂଟା ପଂଚାୟତ, ସରପଂଚ । ବର୍ଷ ତମାମ ସାରା ପଂଚାୟତରେ ମମିତାଙ୍କୁ ଖୋଜା ପଡେ । ଆଉ ମମିତା ବି ପଂଚାୟତବାସୀଙ୍କ ସବୁଦିନର ସୁଖଦୁଃଖର ସାଥୀ ।ମମିତା, ଭାଇ, ଭଉଣୀଙ୍କୁ ପାଠ ପଢାଇଲେ, ବଡ କଲେ, ବିବାହ ବି କରାଇଲେ । ହେଲେ ଘରର ପରିସ୍ଥିତି ଆଉ ମୁଣ୍ଡ ଉପରେ ପରିବାରର ଦାୟିତ୍ୱ ତୁଲାଉ ତୁଲାଉ ନିଜେ ଅବିବାହିତ ରହିଗଲେ ।

ସେ ଘର ହେଉ ଅବା ଅଫିସ । ନିଷ୍ପତି ନେବାର ଅଧିକାର ପ୍ରାୟ ମହିଳାଙ୍କ ନଥାଏ । ରାଜନୈତିକ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ସେଥିପାଇଁ ଅନୁକୁଳ ପରିବେଶ ସୃଷ୍ଟି କରାଯାଇନାହିଁ । ଘର ଚାରିକାନ୍ଥରୁ ରାଜନୀତିକୁ ଆସିବାକୁ ହେଲେ ବହୁ ସଂଘର୍ଷ କରିବାକୁ ପଡେ ମହିଳାଙ୍କୁ । ଏପରିକି ନିର୍ବାଚନରେ ବିଜୟୀ ହୋଇ ପଦ ପାଇବା ପରେ ବି ସବୁ ନିୟନ୍ତ୍ରଣ ଥାଏ ଘରର ପୁରୁଷଙ୍କ ହାତରେ । ଏଭଳି ସ୍ଥିତିରେ ସ୍ୱାମୀଙ୍କ ମୃତ୍ୟୁ ପରେ କିମ୍ବା ଜଣେ ବିବାହିତ ମହିଳା ଏବଂ ଏକାକୀ ରହୁଥିବା ମହିଳାଙ୍କ ପାଇଁ ରାଜନୀତିରେ ପ୍ରବେଶ କରିବା ଏତେ ସହଜ ନୁହେଁ ।

ଏକାକି ମହିଳାଙ୍କ ମଧ୍ୟ ରାଜନୀତିକୁ ଆସିବା ପାଇଁ ଅଧିକାର ଅଛି । ତେବେ ଏନେଇ ଥିବା ସାମାଜିକ ପ୍ରତିବନ୍ଧକ ଦୂର ହେବା ଦରକାର । ଯେଉଁଠି ମହିଳାଙ୍କୁ ଏଭଳି ସୁଯୋଗ ମିଳିଛି ସେମାନେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି । ମହିଳାଙ୍କୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।