ରାଜ୍ୟରେ ସୁରକ୍ଷିତ ନୁହଁନ୍ତି ନାରୀ, ବଢ଼ୁଛି ନିର୍ଯାତନା ! ୯ ବର୍ଷରେ ୨୭,୭୨୩ଟି ମାମଲା

163

ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ରାଜ୍ୟ ମହିଳା ଆୟୋଗଙ୍କ ତଥ୍ୟ ଅନୁଯାୟୀ ଗତ ୯ ବର୍ଷରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଅଭିଯୋଗରେ ୨୭ ହଜାର ୭୨୩ଟି ମାମଲା ଦାଏର୍ ହୋଇଛି । ବିଧାନସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନରେ ଏପରି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ସରକାରୀ ରେକର୍ଡ଼ କହୁଛି, ୨୦୧୦ରୁ ୨୦୧୮ ଭିତରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମହିଳା ଓ ଶିଶୁ ନିର୍ଯାତନା ଘଟଣା ସାମନାକୁ ଆସିଛି । ଏହି ଜିଲ୍ଲାରେ ଗତ ୯ବର୍ଷ ଭିତରେ ୫ ହଜାର ୨୨୭ଟି ନିର୍ଯାତନା ମାମଲା ଦରଜ ହୋଇଛି । ୨୦୧୦ରେ ଏହି ଜିଲ୍ଲାରେ ୪୧୭ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୩ରେ ସର୍ବାଧିକ ୬୯୧, ୨୦୧୪ରେ ୬୪୩, ୨୦୧୫ରେ ୬୮୯, ୨୦୧୭ରେ ୬୩୫ ଓ ୨୦୧୮ରେ ୬୧୦ଟି ମହିଳା ଓ ଶିଶୁ ନିର‌୍ୟାତନା ଘଟଣା ଘଟିଛି । ଖୋର୍ଦ୍ଧା ଜିଲ୍ଲା ତଳକୁ ରହିଛି କଟକ ।

କଟକରେ ଏହି ବର୍ଷ ଭିତରେ ମୋଟ ୨ ହଜାର ୬୦୮ଟି ନିର୍ଯାତନା ଘଟଣା ଘଟିଛି । ମହିଳା ନିର‌୍ୟାତନା ଘଟଣାରେ ପୁରୀ ତୃତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ମୋଟ ୨ ହଜାର ୧୫୭ଟି ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମରେ ୧୭୫୩, ଭଦ୍ରକରେ ୧୫୩୮, କେନ୍ଦ୍ରାପଡ଼ାରେ ୧୩୭୭ ଓ ବାଲେଶ୍ବର ଜିଲ୍ଲାରେ ୧୩୭୪ଟି ନିର୍ଯାତନା ମାମଲା ହୋଇଛି । ମାଲକାନଗିରି ଜିଲ୍ଲାରେ ସବୁଠୁ କମ ମହିଳା ଓ ଶିଶୁ ନିର୍ଯାତନା ଘଟଣା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି । ଏହି ଜିଲ୍ଲାରେ ଗତ ୯ ବର୍ଷ ଭିତରେ ମାତ୍ର ୮୭ଟି ମାମଲା ହୋଇଥିବା ପ୍ରଫୁଲ୍ଲ ସାମଲ କହିଛନ୍ତି  ।

ପାରିବାରିକ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ୨୦୦୫ ଘରୋଇ ହିଂସା ଆଇନ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ସୁରକ୍ଷା ଅଧିକାରୀ ସରକାରଙ୍କ ତରଫରୁ ନିଯୁକ୍ତି ପାଇଛନ୍ତି । ସେହିପରି କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଅଭିଯୋଗ କମିଟି ଗଠନ କରାଯାଇ । ହିଂସା ଦ୍ବାରା ପ୍ରଭାବିତ ବାଳିକା ଓ ମହିଳାମାନଙ୍କୁ ସହାୟତା ପ୍ରଦାନ ପାଇଁ ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼, କୋରାପୁଟ ଜିଲ୍ଲାରେ ‘ସଖି’ କେନ୍ଦ୍ର ଖୋଲାଯାଇଛି  ।