ରୁଟି ପାଇଁ ବିବାହ ବିଚ୍ଛେଦ ! ଇଂଜିନିୟର ସ୍ୱାମୀଙ୍କୁ ଦରକାର ବିଲକୁଲ ଗୋଲ ରୁଟି, ବ୍ୟବହାରରେ ଅତିଷ୍ଠ ହୋଇ ସ୍ତ୍ରୀ ଦେଲେ ଛାଡପତ୍ର

90

ଦେଶରେ ପ୍ରତି ମିନିଟରେ କେଉଁଠି ନା କେଉଁଠି ବିବାହ ବିଚ୍ଛେଦକୁ ନେଇ କେତେ କାରଣ ବାହାରୁଛି । କିନ୍ତୁ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ମଧ୍ୟ ତାଜୁବ ହୋଇ ଉଠିବେ । ଘଟଣାଟି ହେଉଛି ମହାରାଷ୍ଟ୍ର ପୁନେର । ଏଠାକାର ଜଣେ ମହିଳା କୋର୍ଟରେ ଛାଡପତ୍ର ଆବେଦନ କରିବାକୁ ଆସିଥିଲେ । ଛାଡପତ୍ର ଆବେଦନ କିରବା ପଛର କାରଣ ପଚରାଯିବାରୁ ସେ କହିଥିଲେ ତାଙ୍କ ସ୍ୱାମୀ ସବୁବେଳେ ଗୋଲ ରୁଟି ପାଇଁ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ସ୍ୱାମୀ ସବୁବେଳେ ୨୦ ସେ.ମି. ବ୍ୟାସର ରୁଟି ଖାଇବା ପାଇଁ ଦାବି କରନ୍ତି, ଏପରିକି ତିଆରି ହୋଇଥିବା ରୁଟିର ମାପ ନେବାକୁ ପଛାନ୍ତି ନାହିଁ । ମାପରେ ଅଧିକ କମ ବାହାରିଲେ ସେ ତାଙ୍କୁ ମାରପିଟ କରନ୍ତି ।

ମହିଳାଙ୍କ ବିବାହ ୧୦ ବର୍ଷ ପୂର୍ବେ ୨୦୦୮ ମସିହାରେ ହୋଇଥିଲା । ତାଙ୍କ ସ୍ୱାମୀ ଆଇଟିରେ ଇଞ୍ଜିନିୟର ଅଛନ୍ତି । କିନ୍ତୁ ତାଙ୍କ ଉପରେ ଇଞ୍ଜିନିୟରିଂର ଏଭଳି ଭୂତ ଚଢିଛି ଯେ ସେ ସବୁ କାମରେ ନିଖୁଣ ନୁହଁ ଅତି ନିଖୁଣ ହେବାଭଳି ସର୍ତ୍ତ ରଖୁଛନ୍ତି । ଦିନେ ଅଧେ ଏଭଳି ବ୍ୟବହାର ହୋଇଥିଲେ ସେ ସମ୍ଭାଳି ନେଇଥାନ୍ତେ କିନ୍ତୁ ଲଗାତାର ସ୍ୱାମୀଙ୍କ ଏଭଳି ବ୍ୟବହାରକୁ ସହ୍ୟ କରିବା ସ୍ତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପଡିଲା । ଯେଉଁଥିପାଇଁ ସେ ବାଧ୍ୟ ହୋଇ ଅଦାଲତର ସାହାରା ନେବାକୁ ଆସିଲେ ।

ମହିଳା କୁହନ୍ତି ଘରର ପ୍ରତି କାମ କିଭଳି ଭାବେ ନିଖୁଣ ହେବ, ଏଥିପ୍ରତି ସ୍ୱାମୀ ସବୁବେଳେ ନଜର ଦେଇଥାନ୍ତି । ଘରେ ବିଭିନ୍ନ ରଙ୍ଗର ପେପର ରହିଛି ଯେଉଁଥିରେ କାମ ସମ୍ପୂର୍ଣ୍ଣ ହେବା ପରେ କାମ ଶେଷ ହେବାର ଲେଖାହୁଏ । ଅନ୍ୟ ଏକ ରଙ୍ଗର ପେପରରେ କୌଣସି କାମ ଅଧାରେ ରହିଗଲେ ସେଥିରେ ଲେଖାହୁଏ । କେବଳ ସେତିକି ନୁହଁ କାମ କାହିଁକି ଅଧାରେ ରହିଲା ତାହା ମଧ୍ୟ ଚିଠାରେ ଲେଖାହୁଏ । ବେଳେବେଳେ ସ୍ୱାମୀଙ୍କୁ କାମରେ ତ୍ରୁଟି ଦେଖାଗଲେ ମହିଳାଙ୍କ ଉପରେ ଥଣ୍ଡାପାଣି ଢାଳି ସେ ଏସି ରୁମରେ ତାଙ୍କୁ ବନ୍ଦ କରିଦିଅନ୍ତି ଏବଂ ଆତ୍ମହତ୍ୟା କରିବାକୁ ମଧ୍ୟ କୁହନ୍ତି । କିନ୍ତୁ ଝିଅର ମୁହଁକୁ ଚାହିଁ ସେ ନା ମରିପାରୁଛନ୍ତି ନା ଭଲରେ ବଞ୍ଚିପାରୁଛନ୍ତି । ବର୍ତ୍ତମାନ ସେ ନିଜ ଝିଅକୁ ଧରି ଅନ୍ୟତ୍ର ରହିବାକୁ ଇଚ୍ଛା ରଖିଛନ୍ତି ।