ନଇ କୂଳରେ ମଣିଷ-କୁମ୍ଭୀର ଲଢେଇ: ଦୀର୍ଘ ଅଧଘଣ୍ଟା ଧରି ଲଢ଼େଇ କରିବା ପରେ କୁମ୍ଭୀର ମୁହଁରୁ ବଞ୍ଚିଲା ମହିଳାଙ୍କ ଜୀବନ ।

945

କନକ ବ୍ୟୁରୋ: ଅଧଘଂଟା ଧରି କୁମ୍ଭୀର ସହ ମୁହାଁମୁହିଁ ହେବା ପରେ ଏବେ ହସପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା । ରାଜକନିକାର ଏହି ମହିଳାଙ୍କ ଗୋଡକୁ କାମୁଡି ପାଣି ଭିତରକୁ ଟାଣିନେଇଥିଲା ୫ ଫୁଟର ବିରାଟ କୁମ୍ଭୀର । ତେବେ ସାହସ ଦେଖାଇ କୁମ୍ଭୀର ସହ ଅଧଘଂଟା ଧରି ଲଢିବା ଯୋଗୁଁ ବଂଚିଯାଇଛି ଜୀବନ ।

ରାଜକନିକା ଖୁଂଟା ଗାଁର ସଜନୀ ମଲ୍ଲିକ ବିଲରେ ଖାଇସାରି ବୈତରଣୀ ନଦୀ କୂଳକୁ ବାସନ ଧୋଇବାକୁ ଯାଇଥିଲେ । ଏହି ସମୟରେ ପାଣିରେ ଥିବା ୫ ଫୁଟର ବଉଳା କୁମ୍ଭୀର ହଠାତ୍ ସଜନୀଙ୍କୁ ଆକ୍ରମଣ କରିଥିଲା । ଲାଂଜରେ ସଜନୀଙ୍କୁ ଆକ୍ରମଣ କରିବା ପରେ ସଜନୀଙ୍କ ଗୋଡକୁ କାମୁଡି ଧରିଥିଲା । ଜୀବନ ବଂଚାଇବା ଲାଗି ନଇ କୂଳରେ ଥିବା ବେଣା ଗଛକୁ ଜାବୁଡି ଧରିଥିଲେ ସଜନୀ । ବଂଚାଇବାକୁ ଚିକ୍ରାର କରିଥିଲେ । ଅଧଘଂଟା ଧରି କୁମ୍ଭୀର, ସଜନୀଙ୍କ ଗୋଡକୁ ଧରିଥିଲା । ତେବେ ସଜନୀଙ୍କ ଚିକ୍ରାର ଶୁଣି ବିଲରୁ ଦୌଡି ଆସିଥିଲେ ସମ୍ପର୍କୀୟ । ନଇକୂଳରେ ସଜନୀଙ୍କ ଗୋଡକୁ କାମୁଡି ଧରିଥିଲା କୁମ୍ଭୀର ଏବଂ ସଜନୀ, ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଗଛକୁ ଜାବୁଡି ଧରିଥିଲେ । ସଙ୍ଗେ ସଙ୍ଗେ ଏକ ଠେଙ୍ଗାରେ କୁମ୍ଭୀରର ଆଖିକୁ ଖେଂଚିବା ପରେ , ସଜନୀଙ୍କ ଗୋଡକୁ ଛାଡି ପାଣି ଭିତରକୁ ପଳାଇଥିଲା କୁମ୍ଭୀରଟି ।

ରବିବାର, କେନ୍ଦ୍ରାପଡା ହାବେଳୀ ଗାଁର ଜଣେ ବ୍ୟକ୍ତି ଗାଇ ଚରାଇ ବିରୂପା ନଦୀରେ ପହଁରି ପହଁରି ଫେରୁଥିବାବେଳେ ୧୨ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ତେବେ ୧୦ ମିନିଟ୍ ଧରି ଲଢେଇ କରିବା ପରେ ସେ ବଂଚିଯାଇଥିଲେ । ସୋମବାର, ରାଜକନିକାରେ ବୈତରଣୀ ନଦୀକୂଳରେ ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଯାହା ନଇକୂଳିଆ ଅଂଚଳର ଲୋକଙ୍କ ଭିତରେ ଭୟ ବଢାଇଦେଇଛି ।