ପୁଣି ଚାଷୀଙ୍କ ଚରମ ପଦକ୍ଷେପ ! ଫସଲ ଉଜୁଡି ଯିବା ପରେ ବିଷ ପିଇଦେଲେ ମହିଳା ଚାଷୀ

33

କନକ ବ୍ୟୁରୋ : ପୂରା ରାଜ୍ୟରେ ଏବେ ଚାଷୀ ଆତ୍ମହତ୍ୟାକୁ ନେଇ ସରଗରମ ରାଜନୀତି । ବରଗଡ ଚାଷୀ ଆତ୍ମହତ୍ୟାକୁ ନେଇ ତମ୍ବି ତୋଫାନ ଚାଲିଥିବା ବେଳେ ବାଲେଶ୍ୱରରୁ ଆସିଛି ଚାଷୀ ଆତ୍ମହତ୍ୟା ଉଦ୍ୟମର ଖବର । ଫସଲହାନୀ ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଗୁଜଡିହାର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଗୁଜଡିହା ଗାଁର ସୁରେନ୍ଦ୍ର ପାତ୍ର ୩୦ ହଜାର ଟଙ୍କା ଧାର କରଜ କରି ଅଢେଇ ଏକର ଜମିରେ ଚାଷ କରିଥିଲେ । ହେଲେ ବିଲରେ ପାଣିନଥିବା ବେଳେ ଧାନ ଫସଲ ଉପରେ ଦାଉ ସାଧିଥିଲା ପୋକ । ରୋଗ ପୋକ ଲାଗିବା ପରେ ନଷ୍ଟ ହୋଇଯାଇଥିଲା ଧାନ ।ଫଳରେ ଧାନ ନଷ୍ଟ ହୋଇଯିବା ପରେ ଚିନ୍ତାରେ ଥିଲେ ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ । ଗତକାଲି ରାତିରେ ସୁରେନ୍ଦ୍ର ଘରେ ନଥିବା ବେଳେ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।