ଦେଶର ଜାତୀୟ ଆୟରେ ଗୃହିଣୀଙ୍କ କାମକୁ ମିଳିବ କି ମାନ୍ୟତା ? ମହିଳାଙ୍କ ଅର୍ଥନୈତିକ ଅଧିକାର ଲଢେଇ ନେଇ ଓକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ

40

କନକ ବ୍ୟୁରୋ : ବିନା ଦରମା ଆଉ ବିନା ଛୁଟିରେ ଘରେ ବର୍ଷ ତମାମ କାମ କରୁଥିବା ଗୃହୀଣିଙ୍କ ଦେଶର ଜାତୀୟ ଆୟରେ ଅବଦାନ କଣ? ଘରେ କରୁଥିବା ଗୃହୀଣିଙ୍କ କାମକୁ କାମ ବୋଲି ଧରାଯାଏନି । ବାହାରକୁ କାମ କରିବାକୁ ଅନୁମତି ମିଳେନାହିଁ । ଫଳରେ ଦେଶରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବହୁତ କମ୍ । ଆଉ ଯେତିକି ଆଛି ତାହା ଅଣସଂଗଠିତ ସେକ୍ଟରରେ । ବିନା ସାମାଜିକ ସୁରକ୍ଷାରେ କାମ କରନ୍ତି ମହିଳା । ମହିଳାଙ୍କ ଅର୍ଥନୈତିକ ଅଧିକାର ଲଢେଇ ନେଇ ଓକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ, ନୂଆ କରି ଭାବିବା, ନୂଆ ସମ୍ପର୍କ ଗଢିବା ।

vlcsnap-2018-01-18-22h34m10s306ଦିନର ୨୪ ଘଂଟା, ସପ୍ତାହର ୭ ଦିନ ଆଉ ବର୍ଷର ୩୬୫ ଦିନ , ବିନା ଛୁଟିରେ କାମ କରନ୍ତି ଗୃହିଣୀ । ରୋଷେଇ, ଘରସଫା, ପିଲାଙ୍କ ପାଠପଢା, ଘରର ଟିକିନିଖି ସବୁ କାମ । ପରିବାରର ଅର୍ଥନୀତିରେ ରହିଛି ସେମାନଙ୍କ ଏକ ବଡ ଯୋଗଦାନ । ତେବେ ସେମାନଙ୍କ ଏହି କାମକୁ କାମ ବୋଲି ଧରାଯାଏ ନାହିଁ । ଘରୋଇ କାମ ବଦଳରେ ସେମାନେ କୌଣସି ଟଙ୍କା ପାଆନ୍ତି ନାହିଁ ହେଲେ ପରିବାରର ଅର୍ଥନୀତିରେ ରହିଛି ସେମାନଙ୍କ ବଳିଷ୍ଠ ଯୋଗଦାନ । କାରଣ ମହିଳାଙ୍କ ଏହି କାମ ଯଦି ଅନ୍ୟ କେହି କରିଥାନ୍ତା ତେବେ, ଏଥିପାଇଁ ପରିବାର ରୋଜଗାରର ଏକ ବୃହତ ଅଂଶ ଖର୍ଚ୍ଚ କରିବାକୁ ପଡିଥାନ୍ତା । କିଏ ବିଲରେ କାମ କରୁଛି ତ ଆଉ କିଏ ନିର୍ମାଣ ଶ୍ରମିକ । ଡକ୍ଟର, ଇଂଜିନିୟର ଓ ଆଇଟିସିଆନ୍ଙ୍କ ଭଳି ଏମାନେ ବି ଜଣେ ଜଣେ କର୍ମଜୀବୀ ମହିଳା । ହେଲେ ଅଣସଂଗଠିତ ସେକ୍ଟରରେ ଅଳ୍ପ କିଛି ଟଙ୍କା ପାଇଁ କାମ କରୁଥିବା ଏହି ମହିଳାଙ୍କ ଯେପରି ଦେଶର ଅର୍ଥନୀତିରେ କୌଣସି ଭୂମିକା ନାହିଁ?

୨୦୧୧ ଜନଗଣନା ଅନୁଯାୟୀ ଓଡିଶାରେ କର୍ମଜୀବୀ ମହିଳାଙ୍କ ହାର ୨୭ ପ୍ରତିଶତ । ଯାହା ୨୦୦୧ରେ ୨୪ ପ୍ରତିଶତ ଥିଲା । ତେବେ ୬୪ ପ୍ରତିଶତରୁ ୬୬ ପ୍ରତିଶତକୁ ବଢିଥିଲା ମାର୍ଜିନାଲ ୱାର୍କରଙ୍କ ସଂଖ୍ୟା । ମାର୍ଜିନାଲ ୱାର୍କର କହିଲେ, ଯେଉଁମାନେ ବର୍ଷକୁ ୧୮୦ ଦିନରୁ କମ୍ କାମ ପାଇଛନ୍ତି । ଅର୍ଥାତ୍ ୨୦୧୧ରେ ଅଧିକ ସଂଖ୍ୟାରେ ମହିଳା କମ୍ ସଂଖ୍ୟାରେ କାମ ପାଇଛନ୍ତି । କର୍ମଜୀବୀ ମହିଳାଙ୍କ ସଂଖ୍ୟା କମିବା ପଛର କାରଣ ହେଉଛି, ବାହାରେ ମହିଳାଙ୍କୁ କାମ କରିବାକୁ ଅନୁମତି ଦିଆଯାଉନି । ଏବଂ ଯେଉଁମାନେ ବାହାରେ କାମ କରନ୍ତି ସେମାନେ ପ୍ରାୟତଃ, ଅଣସଂଗଠିତ ସେକ୍ଟରର । ୭୫ ପ୍ରତିଶତଠାରୁ ଅଧିକ ମହିଳା କୃଷି, ଖଣି, ନିର୍ମାଣ ଏବଂ ବିଡି ପ୍ରସ୍ତୁତି ଭଳି କାମ କରନ୍ତି । ଯେଉଁଥିରେ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ନାହିଁ । ଅଧିକ ସମୟ , କମ୍ ପାରିଶ୍ରମିକ ଏବଂ ଅସୁରକ୍ଷିତ କାର୍ଯ୍ୟସ୍ଥଳୀରେ କାମ କରିଥାନ୍ତି ମହିଳା ।

ମହିଳାଙ୍କ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ସମାନ କାମକୁ ସମାନ ଦରମା, ଜାତୀୟ ଆୟରେ ଗୃହିଣୀଙ୍କ ଘରୋଇ କାମକୁ ମାନ୍ୟତା ଦେବା ଏବଂ ମହିଳାଙ୍କ ଅର୍ଥନୈତିକ ଅଧିକାର ନେଇ ସଚେତନତା ଜରୁରୀ ।ମହିଳାଙ୍କୁ ସେମାନଙ୍କ ଅର୍ଥନୈତିକ ଅଧିକାର ଦେବା କ୍ଷେତ୍ରରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜ୍ର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।