କଳାହାଣ୍ଡି ଗୋଲାମୁଣ୍ଡା ବ୍ଳକରେ ଅଭାବନୀୟ ଘଟଣା । ୬୩ ବର୍ଷିୟା ବୃଦ୍ଧାଙ୍କୁ ମଝି ରାସ୍ତାରେ ଝୁଣି ମାରିଦେଲେ ବୁଲା କୁକୁର

1,544

କନକ ବ୍ୟୁରୋ : କୁକୁର ନେଇଗଲା ଜୀବନ । ବିଚ୍ ରାସ୍ତାରେ ବୁଲା କୁକୁର ଝୁଣି ଝୁଣି ରକ୍ତାକ୍ତ କରିବା ପରେ ପ୍ରାଣ ହରାଇଲେ ବୃଦ୍ଧା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । । ଗୋଲାମୁଣ୍ଡା ବ୍ଳକ ବାଞ୍ଜିବାହାଲ ଗ୍ରାମରେ ଜଣେ ୬୩ ବର୍ଷିୟ ବୃଦ୍ଧାଙ୍କୁ ଝୁଣି ଖାଇଛନ୍ତି ବୁଲାକୁକୁର । ବୁଲା କୁକୁରଙ୍କ ଆକ୍ରମଣରେ ଗୋଲାମୁଣ୍ଡା ବ୍ଲକର ଭୂମିସୂତା ମାଝିଙ୍କ ପ୍ରାଣବାୟୁ ଉଡିଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ପଡିଆକୁ ଯାଇଥିବା ବେଳେ ବୁଲାକୁକୁର ମହିଳାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧା ଜଣକ ଦୌଡି ପଳାଇବା ପାଇଁ ଉଦ୍ୟମ କରିଥିଲେ ବି କୁକୁର ପଲ ତାଙ୍କ ପିଛା ଛାଡିନଥିଲେ । ବିଚ୍ ରାସ୍ତା ମଝିରେ ମହିଳାଙ୍କୁ କାମୁଡି କ୍ଷତାକ୍ତ କରି ଦେଇଥିଲେ । ତେବେ ମହିଳାଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି କୁକୁରପଲକୁ ଘଉଡାଇବା ପାଇଁ ଢେଲାପଥର ମାଡ କରିଥିଲେ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ବୁଲା କୁକୁରଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇଥିବା ମହିଳା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

ସ୍ଥାନୀୟ ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ । ଠିକ ଦୁଇମାସ ତଳେ ଏହି ଅଂଚଳରେ ଏକ ଛୋଟ ଶିଶୁକୁ ଝୁଣି ଖାଇଯାଇଥିଲେ ବୁଲା କୁକୁର । ଆଉ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏସବୁ ଭିତରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି ସହରାଂଚଳରୁ ବୁଲାକକୁରଙ୍କୁ କାବୁ କରି ପ୍ରଶାସନ ଜଙ୍ଗଲ ଇଲାକାରେ ଛାଡିଦେଉଛି । ଆଉ କୁକୁର ହିଂସ୍ର ହୋଇ ଗାଁ ଲୋକଙ୍କୁ ଆକ୍ରମଣ କରୁଛନ୍ତି ।

ସାରା ଭାରତରେ ବୁଲାକୁକରୁଙ୍କ ସମସ୍ୟା ରହିଛି । ଏମିତିକି ଦେଶରେ ବହୁଲୋକ କୁକୁର କାମୁଡାରେ ମୃତ୍ୟୁବରଣ ବି କରୁଛନ୍ତି । କିଛି ବର୍ଷ ତଳେ ପୁରୀରୁ ବି ଏଭଳି ଏକ ସମ୍ବେଦନଶୀଳ ଖବର ଆସିଥିଲା । ଯେତେବେଳେ ଛୋଟଶିଶୁକୁ ଝୁଣି ଖାଇଯାଇଥିଲେ ବୁଲା କୁକୁର । ଆଉ କଳାହାଣ୍ଡିରୁ ଏଭଳି ଖବରର ପୁନରାବୃତ୍ତି ବେଶ ଚିନ୍ତାଦାୟକ ।