ଗୋଟିଏ ହାତରେ ଥିଲା ତ୍ରିରଙ୍ଗା ଏବଂ ଅନ୍ୟ ହାତରେ କୋଦାଳ ! ସାହସ ଦେଖାଇଲେ ମହିଳା, ଗାଁକୁ ତିଆରି ହେଲା ନୁଆ ରାସ୍ତା

25

ବିହାରର ବାଙ୍କା ଜିଲ୍ଲାରେ ବାସ କରୁଥିବା ମହିଳା କିଛି ଏପରି କାର୍ୟ୍ୟ କରିଛନ୍ତି ଯାହା ସାରା ଦୁନିଆ ପାଇଁ ଏକ ପ୍ରେରଣା ପାଲଟିଛି । ପୂର୍ବରୁ ଗାଁ ଭିତରକୁ ଯାତାୟତ କରିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ,ଯାତାୟତ ପାଇଁ ହଇରାଣ ହେଉଥିଲେ । ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । କିନ୍ତୁ ଏଥିରେ ହାର ମାନି ନଥିଲେ ଗାଁର ମହିଳା । ପ୍ରାୟ ଦେଢ ଶହ ମହିଳା ମାତ୍ର ତିନି ଦିନ ମଧ୍ୟରେ ମିଳିମିଶି ଗାଁକୁ ରାସ୍ତା ତିଆରି କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଗାଁକୁ ସଡକ ନଥିବା କାରଣରୁ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଥିଲା । ଏପରି ଶୁଣିବାକୁ ମିଳିଛି ପୂର୍ବରୁ କିଛି ଗର୍ଭବତୀ ମହିଳାଙ୍କୁ ମେଡିକାଲ ନିଆଯାଇ ନପାରିବାରୁ ଅଧା ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଗାଁରେ ଗୋଟିଏ ସଡକ ନଥିବାରୁ ଗାଁକୁ କଳଙ୍କ ବୋଲି ଭାବୁଥିଲେ । କିନ୍ତୁ ମହିଳାମାନେ ଗୋଟେ ହାତରେ ତ୍ରିରଙ୍ଗା ଏବଂ ଆଉ ଗୋଟେ ହାତରେ କୋଦାଳ ଧରି ବାହାରି ପଡିଥିଲେ ଗାଁକୁ କଳଙ୍କ ମୁକ୍ତ କରିବା ପାଇଁ । ମହିଳା ମାନଙ୍କର ଏପରି ଉତ୍ସାହ ଦେଖି ଜମି ମାଲିକ ମାନେ ମଧ୍ୟ ମହିଳା ମାନଙ୍କୁ ରାସ୍ତା ତିଆରି କରିବା ପାଇଁ ସ୍ୱଇଚ୍ଛାରେ ନିଜ ନିଜର ଜମି ଦାନ କରିଦେଇଥିଲେ । କେବଳ ସେତିକି ନୁହେଁ ଗାଁର ପୁରୁଷ ମାନେ ମଧ୍ୟ ମହିଳା ମାନଙ୍କର ଏପରି ସାହସ ଏବଂ ଇଛାଶକ୍ତିକୁ ଦେଖି ସାହାଯ୍ୟର ହାତ ବଢାଇବା ପାଇଁ ବାହାରି ଆସିଥିଲେ । ପରେ ସମସ୍ତେ ଏକତ୍ରୀତ ହୋଇ ନିକଟରେ ଥିବା ନଦୀରୁ ମାଟି, ବାଲି ଏବଂ ମୋରମ ଆଣି ରାସ୍ତାକୁ ସଫଳତାର ସହ ତିଆରି କରିପାରିଥିଲେ ।

ମହିଳାଙ୍କର ଏପରି ସାହସ ଏବଂ ଇଚ୍ଛାଶକ୍ତିକୁ ବିଡିଓ ଏବଂ ଗାଁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ଏବଂ କହିଛନ୍ତି ଯାହା ପ୍ରଶାସନ ନକରିପାରିଲା ତାହା ଏହି ଗାଁର ମହିଳା ମାନେ କରି ଦେଖାଇଛନ୍ତି । ମହିଳାମାନଙ୍କର ଏଭଳି ମହାନ ଏବଂ ସାହସିକତା କାମ ପାଇଁ ଏବେ ସାରା ଦୁନିଆ ପାଇଁ ସେମାନେ ଉଦାହରଣ ସାଜିଛନ୍ତି ।