ମୁହାଁମୁହିଁ ହେଲେ ମହିଳାଙ୍କ ଦୁଇ ସ୍ୱାମୀ ! ଥାନାଯାଏଁ କଥା ଗଲା,ଦ୍ୱିତୀୟ ସ୍ୱାମୀଙ୍କ ସହ ହାଇଦ୍ରାବାଦ ଗଲେ ମହିଳା

224

କନକ ବ୍ୟୁରୋ : ଆଜି ସକାଳେ ସୋର ଷ୍ଟେସନ ଛକ ନିକଟରେ ଜଣେ ମହିଳାଙ୍କୁ ଦୁଇଜଣ ଯୁବକ ନିଜର ପତ୍ନୀ ବୋଲି ଦାବି କରି ନିଜ ସାଙ୍ଗରେ ନେବାକୁ ଟଣାଓଟରା କରିବା ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ପୁଲିସ୍ ତିନିଜଣଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ କଲା ପରେ ଦ୍ୱିତୀୟ ସ୍ୱାମୀଙ୍କ ସହ ମହିଳାଙ୍କୁ ଛାଡ଼ିଦେଇଛି ।

ସୂଚନା ଅନୁସାରେ, ବାରିପଦା ଅଞ୍ଚଳର ରବୀନ୍ଦ୍ର ଜେନାଙ୍କ ପୁଅ ଶ୍ରୀଧର ଜେନା ୬ ବର୍ଷ ତଳେ ରାଜମିସ୍ତ୍ରୀ କାମ କରୁଥିବା ସମୟରେ ତାଙ୍କ ସହ କାମ କରୁଥିବା ବନିତା(ଛଦ୍ମନାମ)ଙ୍କୁ ପ୍ରେମ କରି ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଶ୍ରୀଧର ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ମାରପିଟ୍ କରିବା ଫଳରେ ଏଥିରେ ଅତିଷ୍ଠ ହୋଇ ସେ ସୋରକୁ ପଳାଇଆସି କାମଦାମ କରି ରହୁଥିଲେ । ଏହି ସମୟରେ ଷ୍ଟେସନରେ ପେପର ହକର ଭାବେ କାର‌୍ୟ୍ୟ କରୁଥିବା ସୋର ବ୍ଲକ୍ କୁଡ଼େଇ ଗ୍ରାମର ଶରତ ବେହେରାଙ୍କ ପୁଅ ବିକାଶ ବେହେରାଙ୍କ ସହିତ ଟ୍ରେନରେ ତାଙ୍କର ଭେଟ ହେବା ପରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଏହାପରେ ଶରତ ଓ ବନିତାଙ୍କ ସହମତିରେ ୩ ମାସ ତଳେ ସେମାନେ ରେମୁଣା ମନ୍ଦିରରେ ବିବାହ କରିଥିଲେ ଏବଂ ହାଇଦ୍ରାବାଦ ଯାଇ କାମଧନ୍ଦା କରି ରହୁଥିଲେ ।

ତେବେ ସେମାନେ ୧୫ ଦିନ ତଳେ ଘରକୁ ଆସି ଆଜି ପୁଣିଥରେ ହାଇଦ୍ରାବାଦ ଫେରିଯିବା ପାଇଁ ସୋର ଷ୍ଟେସନକୁ ଆସିଥିବା ବେଳେ ଶ୍ରୀଧର ପୂର୍ବରୁ ଖବର ପାଇ ସେଠାରେ ଅପେକ୍ଷା କରିଥିଲେ । ସେ ବନିତାକୁ ତା’ସହିତ ଯିବା ପାଇଁ ଆକୁଳ ନିବେଦନ କରିବା ସହିତ ତାଙ୍କୁ ଟଣାଓଟରା କରିଥିଲେ । ମାତ୍ର ଏଥିରେ ବିକାଶ ବାଧା ଦେଇ ତାଙ୍କ ସ୍ତ୍ରୀକୁ ଛାଡ଼ିଦେବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଥିଲା । ଖବରପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଶେଷରେ ବନିତା ତାଙ୍କର ୨ୟ ସ୍ୱାମୀ ବିକାଶ ସହିତ ଖୁସିରେ ରହୁଥିବାରୁ ତାଙ୍କ ସହିତ ଯିବାପାଇଁ ଚାହାନ୍ତି ବୋଳି କହିଥିଲେ । ତେଣୁ ତାଙ୍କୁ ପୁଲିସ୍ ବିକାଶଙ୍କ ସହିତ ତାଙ୍କୁ ଛାଡ଼ିଦେଇଥିବା ଆଇଆଇସି କ୍ଷମାସାଗର ପଣ୍ଡା ସୂଚନା ଦେଇଛନ୍ତି ।