ଯୁକ୍ତ ଦୁଇ ଛାତ୍ରୀ ଉପରେ ଏସିଡ ମାଡ! ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି

19

କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରୀ ଉପରେ ଏସିଡ ମାଡ । ଉତରପ୍ରଦେଶର ମଥୁରାରେ ଏହି ଛାତ୍ରୀ ଉପରେ କିଛି ଯୁବକ ଏସିଡ ପକାଇଦେଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେହିପରି ଲକ୍ଷ୍ନୌରେ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କ ଉପରକୁ ମଧ୍ୟ କିଛି ଦୃବୁର୍ତ ଏସିଡ ମାଡ କରିଛନ୍ତି । ଏହାସହ ଦୃବୁର୍ତମାନେ ମହିଳାଙ୍କୁ ଏସିଡ ମଧ୍ୟ ପିଆଇବାକୁ ଚେଷ୍ଟା କରିଥିଲେ । ଏହି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏସିଡ ପିଆଇବା କାରଣରୁ ମହିଳାଙ୍କର ଶ୍ୱାସ ନଳୀ ଆକ୍ରାନ୍ତ ହୋଇଛି । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଖାନାରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ସେହିପରି ପୀଡିତାଙ୍କୁ ଉତରପ୍ରଦେଶର ମନ୍ତ୍ରୀ ରୀତା ବହୁଗୁଣା ଯୋଶୀ ମଧ୍ୟ ସାକ୍ଷାତ କରିଛନ୍ତି । ରୀତା ବହୁଗୁଣା ଏହି ଘଟଣାକୁ ଦୁର୍ଭାଗ୍ୟପୁର୍ଣ କହିଥିବାବେଳେ ଦୋଷୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଏସିଡ ମାଡ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ପ୍ରକୃତ ଯାଂଚ କରାଯାଉଛି ବୋଲି ପୋଲିସ କହିଛି ।