ସାବରିମାଳା ମନ୍ଦିରରେ ପ୍ରବେଶ କରିଥିବା କନକଦୁର୍ଗାଙ୍କ ଉପରେ ଆକ୍ରମଣ କଲେ ଶାଶୂ, ହସପିଟାଲରେ ଚାଲିଛି  ଚିକିତ୍ସା 

176

କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ କନକଦୁର୍ଗାଙ୍କ ଉପରେ ଆକ୍ରମଣ ହୋଇଛି ।  ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ତାଙ୍କ ଘରେ ତାଙ୍କ ଶାଶୂ କରିଛନ୍ତି । ମନ୍ଦିରରେ ପ୍ରବେଶ କରିବା କାରଣରୁ ତାଙ୍କ ଶାଶୂ ରାଗିଥିଲେ । ଉଭୟ ମହିଳାଙ୍କୁ ଶ୍ରଦ୍ଧାଳୁଙ୍କ ପାଖରୁ ଲଗାତାର ଧମକ ମିଳୁଥିଲା । ତା ସତ୍ୱେ ସୁରକ୍ଷା ଅଧିକାରୀଙ୍କ ଯୋଗୁଁ ଘରେ ସୁରକ୍ଷିତ ପହଂଚିପାରିଥିଲେ । କନକଦୁର୍ଘାଙ୍କ ଉପରେ ଯେଉଁ ସମୟରେ ଆକ୍ରମଣ ହୋଇଥିଲା, ସେହି ସମୟରେ ୮ଜଣ ପୁଲିସକର୍ମୀ ତାଙ୍କ ଘର ବାହାରେ ଉପସ୍ଥିତ ଥିଲେ ।

ଅନେକ ପୁରୁଣା ପରମ୍ପରା ଭାଙ୍ଗି ଦୁଇଜଣ ମହିଳା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ମନ୍ଦିରର ପାରମ୍ପାରିକ ପ୍ରତିବନ୍ଧକକୁ ହଟାଇବା ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଜାନୁୟାରୀରେ ୪୨ ବର୍ଷୀୟା କଲେଜ୍ ଅଧ୍ୟାପିକା ବିନ୍ଦୁ ଓ ୩୯ ବର୍ଷୀୟା କନକଦୁର୍ଗା ମନ୍ଦିରରେ ପ୍ରବେଶ କରିଥିଲେ ।

ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶକୁ ଅନୁମତି ଦେବା ପରେ ସେପ୍ଟେମ୍ବରରୁ ହିଁ ସାବରିମାଳା ମନ୍ଦିର ବିବାଦ ଘେରରେ ଅଛି । ସେପ୍ଟେମ୍ବର ଠାରୁ ମନ୍ଦିର ପରିସରର ଅଧିକାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିବାଦ ଚାଲିଛି । ଶ୍ରଦ୍ଧାଳୁଙ୍କ ହିଂସାତ୍ମକ ବିରୋଧ ପ୍ରଦର୍ଶନ ବି ଦେଖିବାକୁ ମିଳିଛି । ଏତେ ବାଧାବିଘ୍ନ ସତ୍ୱେ ସେମାନେ ଭଗବାନ ଅୟପ୍ପାଙ୍କ ଦର୍ଶନ କରିବାକୁ ସକ୍ଷମ ହେଲେ ।