ଫିଙ୍ଗିଦେଲା ମା’, ନୂଆ ଜୀବନ ଦେଲା କୁକୁର ।

ଶିଶୁକନ୍ୟାକୁ ପଲିଥିନ ବ୍ୟାଗରେ ଗୁଡ଼ାଇ ନାଳରେ ଫିଙ୍ଗି ଦେବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଛି ।

704

ପୁଅ ହେଲେ ମିଠା ବଣ୍ଟା, ଝିଅ ହେଲେ ମନ ଦୁଃଖ । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଶିଶୁ କନ୍ୟା ହତ୍ୟା ଘଟଣା ସାମ୍ନାକୁ ଆସୁଛି । ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ହରିୟାଣାରୁ ।

ହରିୟାଣାର କୈଥଲରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମା’ର ମମତାକୁ ହତ୍ୟା କରି ଜଣେ ମହିଳା ନିଜ ଶିଶୁକନ୍ୟାକୁ ପଲିଥିନ ବ୍ୟାଗରେ ଗୁଡ଼ାଇ ନାଳରେ ଫିଙ୍ଗି ଦେବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଛି । ସବୁଠାରୁ ବଡ଼ କଥା ହେଲା, ଜନ୍ମ କଲା ମା’ ମୃତ୍ୟୁ ମୁଖକୁ ଫିଙ୍ଗି ଦେବା ପରେ ବୁଲା କୁକୁର ପାଇଁ ଆଜି ନବଜାତ ନୂଆ ଜୀବନ ପାଇ ପାରିଛି । କେନ୍ଦ୍ର ସରକାରଙ୍କ ତରଫରୁ କନ୍ୟାଭୃଣ ହତ୍ୟାକୁ ରୋକିବା ପାଇଁ ଅନେକ ପ୍ରକାରର ପ୍ରୟାସ କରାଯାଉଥିଲେ ମଧ୍ୟ ଦେଶର ଅନେକ ସ୍ଥାନରୁ କନ୍ୟା ଭୃଣ ହତ୍ୟା ଭଳି ମାମଲା ସାମ୍ନାକୁ ଆସୁଛି ।

ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ମହିଳାଜଣଙ୍କ ଜନ୍ମ ପରେ ଝିଅ ବୋଲି ଜାଣି ନବଜାତକୁ ପଲିଥିନରେ ଗୁଡ଼ାଇ ନାଳରେ ଫିଙ୍ଗି ଦେଉଛନ୍ତି । ଏହା ପରେ ବୁଲୁଥିବା କୁକୁରଟି ଆସି ନବଜାତକୁ ନାଳରୁ କାଢ଼ି ଆଣୁଛି । ବାଟରେ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖି ତୁରନ୍ତ ନବଜାତକୁ ଡାକ୍ତରଖାନାରେ ଭର୍ତ୍ତି କରାଉଛନ୍ତି । ଏବେ ଶିଶୁଟିର ଚିକିତ୍ସା ଚାଲିଥିଲେ ମଧ୍ୟ ତା’ର ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର ।

ପୂର୍ବରୁ ଭୃଣ ହତ୍ୟା ଭଳି ଅନେକ ଘଟଣା ଲୋକଲୋଚନକୁ ଆସିଛି । ଏହିକୁ ରୋକିବା ପାଇଁ ସରକାର ଅନେକ ପ୍ରୟାସ କରିଛନ୍ତି । ତଥାବି ଶିଶୁକନ୍ୟା ହତ୍ୟାକୁ ରୋକାଯାଇ ପାରୁନି । କେଉଁଠି ନା କେଉଁଠି ଏଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଲୋକମାନେ ଶିକ୍ଷିତ ହୋଇ ମଧ୍ୟ ଏଭଳି କାମ କରିବାକୁ ପଛାଉ ନାହାଁନ୍ତି । ସତରେ କଣ ଶିଶୁ କନ୍ୟା ହତ୍ୟାକୁ ରୋକାଯାଇ ପାରିବନି ? ସତରେ କଣ ଦୁନିଆ ଦେଖିବା ଆଗରୁ ଝିଅ ମାନଙ୍କୁ ଏହିଭଳି ଭାବେ ହତ୍ୟା କରାଯାଉଥିବ ?