କେନ୍ଦୁଝର : ଟଙ୍କା ଓ ଶାଢ଼ୀ ବଦଳରେ ନବଜାତ ଶିଶୁ ପୁତ୍ରକୁ ବିକ୍ରି କଲା ମା’

23

କନକ ବ୍ୟୁରୋ : ହଜାରେ ଟଙ୍କା ଓ ୩ଟି ଶାଢ଼ୀ ବଦଳରେ ଏକ ନବଜାତ ଶିଶୁକୁ ବିକ୍ରି କରିଦିଆଯାଇଥିଲା । ଘଟଣା ପ୍ରଘଟ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ହସ୍ତକ୍ଷେପ କରି ଶିଶୁଟିକୁ ଉଦ୍ଧାର କରିଛି । ବିକ୍ରି ହୋଇଥିବା ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସା କରାଯାଉଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକାସ୍ଥିତ ଗୁପ୍ତଗଙ୍ଗା ଗ୍ରାମର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ବାପଘରେ ରହୁଥିଲେ । ସୋମବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମା’ ଓ ଶିଶୁପୁତ୍ର ଅସୁସ୍ଥ ହେବାରୁ ତାଙ୍କୁ ଚାଇଲ୍‌ଡ୍‌ ଲାଇନ୍‌ ପକ୍ଷରୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭର୍ତ୍ତି କରାଯାଇଥିଲା ।

କିନ୍ତୁ ବୁଧବାର ସକାଳୁ ସଂପୃକ୍ତ ମହିଳାଙ୍କ ପାଖରେ ଶିଶୁଟି ନଥିଲା । ଏ ସଂପର୍କରେ ଖୋଳତାଡ଼ ବେଳେ ଶିଶୁଟିକୁ ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା । ମା’ଜଣକ ଶିଶୁଟିକୁ ହସ୍ପିଟାଲର କେତେକ କର୍ମଚାରୀଙ୍କ ସହାୟତାରେ ବିକ୍ରି କରି ଦେଇଥିଲା । ଶିଶୁବିକ୍ରି ବାବଦକୁ ମାତ୍ର ୧ ହଜାର ଟଙ୍କା ଓ ୩ଟି ଶାଢ଼ି ମଳିଥିଲା । ଏହା ଜଣାପଡ଼ିବା ପରେ ଆଜି ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଖୋଳତାଡ଼ କରାଯାଇ ପୁରୁଣାବଜାରର ଧନୁ ନାଏକଙ୍କ ପାଖରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଏବେ ଶିଶୁଟିକୁ ତା’ର ପ୍ରକୃତ ମା’ଙ୍କୁ ହସ୍ତାନ୍ତର କରାଯିବା ସହିତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି ।

ଏ ସଂପର୍କରେ ଶିଶୁଟିକୁ କିଣିଥିବା ଧନୁ ନାଏକ କହିଛନ୍ତି, ମୁଁ ନିଃସନ୍ତାନ ଥିବାରୁ ଜଣେ ନର୍ସ ମୋତେ ଖବର ଦେବାରୁ ହସ୍ପିଟାଲରୁ ଯାଇ ଶିଶୁଟିକୁ ଆଣିଥିଲି । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ୍‌ କହିଛନ୍ତି, ଏ ସଂପର୍କରେ ଆଜି ଆମେ ଖବର ପାଇବା ପରେ ଅନୁସନ୍ଧାନ କରି ଶିଶୁଟି ପୁରୁଣା ବଜାରରର ଧନୁ ନାଏକଙ୍କୁ ବିକ୍ରି ହୋଇଥିବା ଜାଣିବାକୁ ପାଇଲୁ । ପରବର୍ତ୍ତୀ ସମୟରେ ଶିଶୁଟିକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସ୍ୱପ୍ନେଶ୍ୱର ଗଡନାୟକଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ ।