ମୃତ୍ୟୁର କିଛି ଦିନ ପରେ ଘରକୁ ଫେରିଲେ ମହିଳା ! ପରିବାର ଲୋକେ କରିସାରିଥିଲେ ଅନ୍ତିମ ସଂସ୍କାର ।

49

ନୋଏଡାରେ ଜଣେ ୨୫ ବର୍ଷୀୟ ମହିଳାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ । କିନ୍ତୁ ୨୭ ଦିନ ପରେ ମହିଳାଜଣଙ୍କ ନିଜ ଗୋଡରେ ଚାଲି ଚାଲି ଘରକୁ ଫେରିଆସିଥିଲେ ।

ପରିବାର ଲୋକଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଠାରୁ କମ ନୁହେଁ । ପ୍ରଥମେ ତାଙ୍କୁ ଦେଖିଲା ପରେ ପରିବାର ଲୋକେ ବିଶ୍ୱାସ କରିନଥିଲେ ଯେ, ଇଏ ହେଉଛି ତାଙ୍କ ଝିଅ ନିତୁ । ଯାହାର ଅନ୍ତିମ ସଂସ୍କାର ହୋଇସାରିଛି ସିଏ ନିଶ୍ୱାସ ନେଉଛି ଏବଂ ବଞ୍ଚିଛି । ତେବେ ଘଟଣାଟି ଏପରି ଥିଲା ଯେ, ଏପ୍ରିଲ ୬ ତାରିଖରେ ନିତୁ ନିଜ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହା ପରେ ପୋଲିସ ମହିଳାଙ୍କ ସ୍ୱାମୀ ରାମ ଲଖନଙ୍କ ଉପରେ ସନ୍ଦେହ କରିଥିଲା । କିନ୍ତୁ ପରେ ତଦନ୍ତ କଲା ପରେ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏପ୍ରିଲ ୨୪ ତାରିଖରେ ପୋଲିସ ନିତୁଙ୍କ ପରିବାର ଲୋକଙ୍କୁ ଏକ ମୃତ ଦେହ ଦେଖାଇଥିଲେ । ମୃତଦେହଟି ନୋଏଡା ସେକ୍ଟର ୧୧୫ରୁ ମିଳିଥିଲା ଏବଂ ଏହା ସମ୍ପୂର୍ଣ୍ଣ ଜଳିଯାଇଥିଲା । ପରିବାର ଲୋକେ ଏହି ମୃତଦେହକୁ ନିତୁ ବୋଲି ସ୍ୱୀକାର କରିନେଇଥିଲେ । ପୋଲିସ ଡିଏନଏ ସାମ୍ପୁଲ ଟେଷ୍ଟ ନକରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ । ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କିନ୍ତୁ ପୋଲିସ ମାମଲାର ତଦନ୍ତ ଜାରି ରଖିଥିଲା, ଯେପରିକି ଘଟଣା ପଛରେ ରହିଥିବା ଷଡଯନ୍ତ୍ର ସାମ୍ନାକୁ ଆସିପାରିବ ।

ନିତୁ ଏଟାରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସକୁ ସୂଚନା ମିଳିଥିଲା ଯେ, ନିତୁ ସେଠାରୁ ଏପ୍ରିଲ ୫ ତାରିଖରେ ଚାଲିଯାଇଥିଲେ । ଏହା ପରେ ନିତୁ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା । ମେ ୨ ତାରିଖରେ ନିତୁ ନିଜ ପରିବାର ଲୋକଙ୍କ ପାଖକୁ ଫେରି ଆସିଥିଲେ । ତେବେ ପୋଲିସ ଉକ୍ତ ମହିଳାଙ୍କ ପରିଚୟ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି ଯାହାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।