୩୦ ଫୁଟ କୂଅ ଭିତରେ ୩୦ ମିନିଟ : ଗଭୀର କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

54

କନକ ବ୍ୟୁରୋ : ସମୟ ପ୍ରାୟ ଦିନ ୨ଟା ୨୦ ହେବ । ବ୍ରହ୍ମପୁର ସ୍ଥିତ ବଡବଜାରର ଚନ୍ଦ୍ରମା ସାହିରେ ଘଟିଛି ଏମିତି ଏକ ଘଟଣା । କୁଅ ଭିତରେ ମହିଳା ଜଣକ ପଡି ରହିଛନ୍ତି । ଆଉ ନିଜ ଜୀବନକୁ ବଂଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । କୁଅ ଭିତରକୁ ଯାଇଥିବା ପାଇପକୁ ଧରି ଲଟକି ରହିଛନ୍ତି । ଯେପରି ପାଣିରେ ବୁଡି ନଯାନ୍ତି ସେଥିପାଇଁ ମୁଣ୍ଡକୁ ପାଣିଠାରୁ ବଂଚାଇ ରଖିଛନ୍ତି । ପାଖାପାଖି ୩୦ମିନିଟ ଧରି ୩୦ ଫୁଟର ଏହି କୁଅ ଭିତରେ ମହିଳା ଜଣକ ଫସି ସରହିଥିଲେ ।

 ଖବର ପାଇ ଘଟଣା ସ୍ଥାଳରେ ପହଂଚି ଥିଲା ବ୍ରହ୍ମପୁର ଅଗ୍ନିଶମ ବିଭାଗ । କୁଅ ଭିତରକୁ ଏକ ସିଢି ପକାଯାଇଥିଲା । ୨ଜଣ ଅଗ୍ନିଶମ ଅଧିକାରୀ ରଶି ସାହାଯ୍ୟରେ କୁଅ ଭିତରକୁ ପଶିଥିଲେ । ରଶିରେ ମହିଳା ଜଣକୁ ଭଲରେ ବନ୍ଧା ଯାଇଥିଲା । ଏବଂ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ । ପାଖାପାଖି ୨୦ ମିନିଟର ଅପରେସନ ମହିଳାଙ୍କ ଜୀବନ ବଂଚାଇ ଦେଇଥିଲା । ଆଉ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ଅଗ୍ନିଶମ ବିଭାଗର ରେସକ୍ୟୁ ଅପରେସନ ମହିଳାଙ୍କୁ ଏକ ନୂଆ ଜୀବନ ଦେଇଛି । ଏବଂ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି ।

ପାଣି ଭିତରେ ୩୦ ମିନିଟ କାଳ ରହିବାରୁ ସେ ଗୁରୁତର ହୋଇ ପଡିଛନ୍ତି । ଉକ୍ତ ମହିଳା ଜଣକ ଚନ୍ଦ୍ରମା ସାହିର ଏସ୍.ସୁମତି ବୋଲି ଜଣାପଡିଛି । ପାରିବାରିକ ଝଗଡାରୁ ଏହି ୩୨ ବର୍ଷୀୟ ମହିଳା କୁଅ ଭିତରକୁ ଡେଇଁ ପଡିଥିବା ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ।