ପ୍ରେମିକର ସ୍ତ୍ରୀକୁ ମାରିବା ପାଇଁ ପ୍ରସାଦରେ ବିଷ ମିଶାଇଲେ ପ୍ରେମିକା ! ସୌଭାବ୍ୟବଶତଃ ବଂଚିଗଲା ସ୍ତ୍ରୀର ଜୀବନ, ଆଉ ୨ ମହିଳା ମୃତ

331

କନକ ବ୍ୟୁରୋ : ପ୍ରେମିକର ସ୍ତ୍ରୀକୁ ମାରିବା ପାଇଁ ଯୋଜନା କରିଥିଲା ପ୍ରେମିକା । ବିଭିନ୍ନ ଯୋଜନା କରି ବିଫଳ ହେବାପରେ ଶେଷରେ ମନ୍ଦିର ପ୍ରସାଦରେ ବିଷ ମିଶାଇ ପ୍ରେମିକର ସ୍ତ୍ରୀକୁ ଦେଇଥିଲା । ହେଲେ ମହିଳା ଜଣକ ପ୍ରସାଦ ନଖାଇ ଏହାକୁ ତାଙ୍କ ମାଆକୁ ଦେଇଦେଲେ। ଏହି ପ୍ରସାଦ ଖାଇ ତାଙ୍କ ମାଆଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେହିପରି ବିଷମିଶା ବଳକା ପ୍ରସାଦ ଖାଇ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ପୁଲିସ ପ୍ରସାଦରେ ବିଷ ମିଶାଇଥିବା ମହିଳା ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ଚିକାବଲପୁର ଜିଲ୍ଲାର ଗଙ୍ଗାମ୍ମା ମନ୍ଦିରରେ ଲକ୍ଷ୍ମୀ(୪୪ ବର୍ଷ) ନାମକ ଜଣେ ମହିଳା ମନ୍ଦିର ପ୍ରସାଦ ପ୍ରସ୍ତୁତ କରନ୍ତି । ସେ ଯେଉଁ ଘରେ ଭଡ଼ା ରହନ୍ତି, ସେହି ଘର ମାଲିକ ଲୋକେଶଙ୍କ ସହିତ ଳକ୍ଷ୍ମୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେଣୁ ଲୋକେଶଙ୍କ ପତ୍ନୀ ଗୌରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଲକ୍ଷ୍ମୀ ଯୋଜନା କରିଥିଲେ । ଲକ୍ଷ୍ମୀ ମନ୍ଦିରର ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହିତ ମିଶି ଗୌରୀଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ ।

ଗତ ଶୁକ୍ରବାର ଦିନ ଲକ୍ଷ୍ମୀ ତାର ଦୁଇ ସହଯୋଗୀଙ୍କ ଦ୍ୱାରା ମନ୍ଦିର ପ୍ରସାଦରେ ବିଷ ମିଶାଇ ଗୌରୀଙ୍କୁ ଖାଇବାକୁ ଦେଇଥିଲା । ମାତ୍ର ଗୌରୀ ଏହାକୁ ନଖାଇ ତାଙ୍କ ମାଆ ସରସ୍ୱତୀ ଆମ୍ମାଙ୍କୁ ଦେଇ ଦେଇଥିଲେ । ଏହାକୁ ଖାଇବା ପରେ ସରସ୍ୱତୀ ଆମ୍ମା ଅସୁସ୍ଥ ହୋଇ ପଡ଼ିବା ସହିତ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ସେହିପରି ଯେଉଁ ବିଷମିଶା ପ୍ରସାଦ ଗୌରୀଙ୍କୁ ଦିଆଯାଇଥିଲା, ସେଥିରୁ ବଳକା ଥିବା କିଛି ପ୍ରସାଦକୁ କବିତା ନାମ୍ନୀ ଜଣେ ମହିଳା ଭକ୍ତ ଖାଇବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏ ନେଇ ପୁଲିସ ତଦନ୍ତ କରି ଲକ୍ଷ୍ମୀ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିବା ସହିତ ଗୌରୀଙ୍କ ସ୍ୱାମୀ ଲୋକେଶଙ୍କର ଏହି ଘଟଣା ପଛରେ କିଛି ହାତ ଅଛି କି ନାହିଁ ତାହା ଜାଣିବା ପାଇଁ ଲୋକେଶଙ୍କୁ ଅଟକ ରଖି ପଚରା ଉଚରା କରୁଛି ।