ମାସିକ ଋତୁସ୍ରାବ ସମୟରେ ଝରକା ନଥିବା କୁଡିଆରେ ଶୋଇବାକୁ ପଡିଲା, ଶ୍ୱାସରୁଦ୍ଧ ହେବାରୁ ମହିଳାଙ୍କ ମୃତ୍ୟୁ 

172

ମାସିକ ଧର୍ମ କାରଣରୁ ବିନା ଝରକା ଥିବା କୁଡିଆ ଘରେ ରହୁଥିବା ୨୧ ବର୍ଷୀୟ ନେପାଳୀ ମହିଳାଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି । ନେପାଳରେ ମାସିକଧର୍ମ ସମୟରେ ମହିଳାଙ୍କୁ ଅସ୍ପୃଶ୍ୟ ଧରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ରହିବାର ଏହି ପ୍ରଥା ଉପରେ ରୋକ୍ ଲଗାଇଦିଆଯାଇଛି । କେତେକ ସମୁଦାୟ ଏବେ ବି ଋତୁସ୍ରାବ ସମୟରେ ମହିଳାଙ୍କୁ ଅପବିତ୍ର ମାନି ତାଙ୍କୁ ଏହି ସମୟରେ ପରିବାରରୁ ଠାରୁ ଦୂରରେ ରହିବା ପାଇଁ ବାଧ୍ୟ କରାଯାଏ ।

ରିପୋର୍ଟ ମୁତାବକ, ଦୂରସ୍ଥ ଧୋତି ଜିଲ୍ଲାରେ ୩୧ ଜାନୁୟାରୀରେ ପାର୍ବତୀ ବୋଗାତି ଅଲଗା ଏକ କୁଡିଆ ଘରେ ଏକୁଟିଆ ଶୋଇଥିଲେ । କୁଡିଆକୁ ଗରମ ରଖିବା ପାଇଁ ସେ ନିଆଁ ଲଗାଇରଖିଥିଲେ । ପରଦିନ ସକାଳେ ପାର୍ବତୀଙ୍କ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ଶାଶୁ ଲକ୍ଷ୍ମୀ କୁଡିଆ ଭିତରକୁ ଗଲେ, ଯେଉଁଠି ପାର୍ବତୀ ମୃତ ଅବସ୍ଥାରେ ପଡିଥିଲେ ।

ତାଙ୍କ ଶାଶୁଙ୍କ କହିବାନୁସାରେ, ପାର୍ବତୀ ଅଲଗା ଏକ କୁଡିଆକୁ ଯାଆନ୍ତି, କିନ୍ତୁ ସେହି କୁଡିଆରେ ଅନ୍ୟ ୩ଜଣ ମହିଳା ଥିବାରୁ ତାଙ୍କୁ ଏଠିକି ଯିବାକୁ ପଡିଥିଲା । ଗ୍ରାମାଂଚଳ ନଗରପାଳିକା ଅଧ୍ୟକ୍ଷଙ୍କ କହିବାନୁସାରେ, ପାର୍ବତୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ହୋଇଛି । ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସେମିତି ଏବର୍ଷ ଜାନୁୟାରୀରେ ୩୫ବର୍ଷୀୟ ମହିଳା ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ ଏହି ପ୍ରକାରରେ ବିନା ଝରକା ଥିବା କୁଡିଆରେ ଅଣନିଶ୍ୱାସୀ ହେବା ଯୋଗୁଁ ହୋଇଥିଲା । ବର୍ଷ ୨୦୧୮ରେ ଏହି ପ୍ରକାରରେ ୨୩ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା ।