ଦାମ୍ପତ୍ୟ କଳହରୁ ଆତ୍ମହତ୍ୟା ଉଦ୍ୟମ : ୬ ବର୍ଷର ଝିଅକୁ ଧରି ଟ୍ରେନ ସାମନାକୁ ଡେଇଁଲେ ମହିଳା

142

ଦାମ୍ପତ୍ୟ କଳହ ହେତୁ ମୁମ୍ବାଇର ଜଣେ ମହିଳା ତାଙ୍କ ୬ ବର୍ଷର ଝିଅକୁ ଧରି ମଙ୍ଗଳବାର ଏକ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ପଡ଼ିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ସୌଭାଗ୍ୟକୁ ଯାତ୍ରୀମାନେ ସୂଚନା ଦେବା ପରେ ଟ୍ରେନଟି ରହିଯାଇଥିଲା। ଫଳରେ ମହିଳା ଓ ତାଙ୍କ ଝିଅ ବଞ୍ଚିଯାଇଛନ୍ତି। ମୁମ୍ବାଇର ବିକରୋଲି ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ଏପରି ଘଟିଥିବା ସୂଚନା ରହିଛି। ସଂପୂର୍ଣ୍ଣ ଘଟଣାଟି ଷ୍ଟେସନର ସିସିଟିଭିରେ କଏଦ ହୋଇଛି। ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଛି।

ମହିଳାଙ୍କୁ ପୁଲିସ୍ ପଚରାଉଚରା କରିବା ପରେ ଜାଣିବାକୁ ମିଳିଛି ଯେ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ ରୀତିମତ ଝଗଡ଼ା ହେଉଥିଲା। ସେ ଦୀର୍ଘ ୧୦ ବର୍ଷ ହେଲା ବିବାହ କଲେଣି। ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ଏହି ଘଟଣାର ତଦନ୍ତ ଏବେ ପୁଲିସ୍ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ମହିଳା ଜଣକ ନିଜ ସାନ ଝିଅକୁ ସ୍କୁଲରୁ ଘରକୁ ଆଣୁଥିବା ସମୟରେ ଷ୍ଟେସନକୁ ଯାଇ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ। ମହିଳାଙ୍କ ଝିଅ ସ୍କୁଲ୍ ପୋଷାକରେ ଥିଲେ। ତାଙ୍କ ସ୍କୁଲ ବ୍ୟାଗ୍ ବି ପୁଲିସ୍ ଜବତ କରିଛି। ମହିଳା ଜଣକ ନିଜ ଝିଅକୁ ଧରି ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ଟ୍ରେନ୍ ଆସିବା ପରେ ସେ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଥିଲେ।