ପୁଣି ଅଡୁଆରେ ଅନଲାଇନ୍ ଫୁଡ୍ ! ପ୍ୟାକିଂ ହୋଇଥିବା ଖାଦ୍ୟରୁ ମିଳିଲା ୪୦ଟି ଅସରପା ।

374

ଅନଲାଇନରୁ ଅର୍ଡର ହୋଇଥିବା ଖାଦ୍ୟ କେତେ ସୁରକ୍ଷିତ, ସେନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଅନଲାଇନ୍ ଅର୍ଡର କରିବା ପରେ ତାଙ୍କୁ ଯେଉଁ ଖାଦ୍ୟ ମିଳିଥିଲା, ସେଥିରେ ୪୦ଟି ମଲା ଅସରପା ଥିଲା । ତେବେ ଏହି ଘଟଣାଟି ଚୀନର ଏକ ସହରର ଅଟେ । ମହିଳାଜଣଙ୍କ ଡିନର ପାଇଁ ଖାଦ୍ୟ ଅର୍ଡର କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅନଲାଇନରେ ଅର୍ଡର କରିବା ପରେ କିଛି ସମୟ ପରେ ତାଙ୍କୁ ଖାଦ୍ୟ ପ୍ୟାକେଟ୍ ଡେଲିଭର କରାଯାଇଥିଲା । ପ୍ୟାକେଟ୍ ଖୋଲିବା ପରେ ସେଥିରୁ ମଲା ଅସରପା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ସେ ମୋବାଇଲରେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କର ଜଣେ ବନ୍ଧୁଙ୍କ କହିବା ଅନୁଯାୟୀ, ଖାଦ୍ୟରେ ପାଖାପାଖି ୪୦ଟି ମଲା ଅସରପା ଥିଲା । ଏହା ପରେ ମହିଳାଜଣଙ୍କ ଖାଦ୍ୟ ଆସିଥିବା ରେଷ୍ଟ୍ରୁରାଣ୍ଟରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଥିବା ବେଳେ ଉକ୍ତ ରେଷ୍ଟ୍ରୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।