କୁମ୍ଭୀର ପାଟିରେ ୧୫ ମିନିଟ୍ ! ମରଣ ମୁହଁରୁ ବଂଚିଲେ ମହିଳା

43

କନକ ବ୍ୟୁରୋ : କୁମ୍ଭୀର ପାଟିରୁ ଅଳ୍ପକେ ବର୍ତିଗଲା ଜୀବନ । କେନ୍ଦ୍ରାପଡ଼ା ରାଜନଗର ଅଂଚଳରେ ଏପରି ଏକ ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଭବାନୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ମଣିଷ ଖିଆ କୁମ୍ଭୀର ନଈ ମଝିକୁ ଟାଣି ନେଇଥିଲା । ହେଲେ ମହିଳା ଜଣକ ସାହସର ସହ ଲଢେଇ କରି କୁମ୍ଭୀର ପାଟିରୁ ଖସି ଆସିଥିଲେ ।

vlcsnap-2017-09-23-19h50m32s652ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟାରେ ଗାଈ ଚରାଇବାକୁ ଯାଇଥିଲେ କେନ୍ଦ୍ରାପଡା ରାଜନଗର ବ୍ଲକ ଅଂଚଳର ଭବାନୀ ମଣ୍ଡଳ । ବାଉଁଶଗଡ ନାଳ କୂଳରେ ଯାଉଥିବା ବେଳେ ହଠାତ୍ ଭବାନୀଙ୍କୁ ଟାଣି ନେଇଥିଲା ମଣିଷ ଖିଆ କୁମ୍ଭୀର । ଚାହୁଁ ଚାହୁଁ ଟାଣିନେଲା ମଝି ନଈକୁ । ବଂଚାଅ ବଂଚାଅ ବୋଲି ସେ ବିକଳରେ ଚିକ୍ରାର କରିଥିଲେ । କିନ୍ତୁ ତାଙ୍କ ଡାକ କେହି ନ ଶୁଣିବାରୁ ଶେଷରେ ଜୀବନ ବଂଚାଇବା ପାଇଁ ନିଜେ ସାହସ ଜୁଟାଇ କୁମ୍ଭୀର ସହ ଲଢିଥିଲେ ଭବାନୀ । ୧୫ ମିନିଟ ଧରି ଚାଲିଲା ଘମାଘୋଟ ଲଢେଇ । ଭବାନୀଙ୍କ ସାହସ ଆଗରେ ହାର ମାନିଲା କୁମ୍ଭୀର ।

୮ ଫୁଟିଆ କୁମ୍ଭୀର ସହ ଲଢେଇ କରି ଶେଷରେ ଜିତିଗଲେ ଭବାନୀ । ସାହସ ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ମୃତ୍ୟୁକୁ ମାତ ଦେଲେ ଏହି ମହିଳା । କୁମ୍ଭୀର ଆକ୍ରମଣରେ ଭବାନୀଙ୍କ ପିଠି ଓ ହାତରେ ଗଭୀର କ୍ଷତ ହୋଇଥିଲେ ବି ଏହାର ଖାତିର ନକରି ନିଜେ ନଈ ବାହାରକୁ ଆସିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଁଚି ଭବାନୀଙ୍କୁ ଉଦ୍ଧାର କରିଥିଲେ । ଆହତ ଭବାନୀ ଏବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ାର ରାଜନଗର ଅଂଚଳରେ କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ସଂଘର୍ଷ ବାରମ୍ବାର ଦେଖିବାକୁ ମିଳୁଛି । ସ୍ଥାନୀୟ ଅଂଚଳବାସିନ୍ଦାଙ୍କୁ ଏବେ କୁମ୍ବୀର ଭୟ ଘାରିଛି ।