ରାଜଧାନୀର ଏକ ଆପାଟମେଂଟ୍ ଉପରୁ ଖସିି ଯୁବତୀଙ୍କ ମୃତ୍ୟୁ ! ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ପରିବାର ଲୋକଙ୍କ ଅଭିଯୋଗ ଆପାର୍ଟମେଂଟରୁ ଠେଲି କରାଯାଇଛି ହତ୍ୟା

42

କନକ ବ୍ୟୁରୋ : ଆଜି ରାଜଧାନୀରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚା ଖେଳିଯାଇଥିଲା । ପ୍ରଶ୍ନ ଉଠିଥିଲା, ଯୁବତୀ ଜଣଙ୍କୁ ମାରିଦେଲେ କି ପୁରୁଷବନ୍ଧୁ । ଏଭଳି ଚର୍ଚା ହେବାର କାରଣ ହେଉଛି, ଆଜି ଭୋର୍ ୩ଟାରେ ପଟିଆସ୍ଥିତ ଏକ ଆପାର୍ଟମେଂଟ ବାଲକୋନିରୁ ପଡି ଯୁବତୀଙ୍କର ମୃତ୍ୟୁ ହୋଇଛି । ଆପାର୍ଟମେଂଟରେ ଯୁବତୀଙ୍କ ସହ ଥିଲେ ତାଙ୍କ ପୁରୁଷବନ୍ଧୁ । ରାତିର ଘନ ଅନ୍ଧାର ଭିତରେ ଆପାର୍ଟମେଂଟରୁ ଖସି ପଡିଲେ ଜଣେ ଯୁବତୀ । ରାତିର ହିଁ ଏହି ଘଟଣା ଘଟିଲା । କାହିଁକି କେମିତି ଓ କଣ ପାଇଁ ଏହି ପ୍ରଶ୍ନର ଉତ୍ତର ମିଳିବା ପୁର୍ବରୁ ଜୀବନ ଚାଲି ଯାଇଥିଲା ଯୁବତୀଙ୍କର ।

ଜିଜ୍ଞାସା ମିଶ୍ର । ଭୁବନେଶ୍ୱରର ଏକ କଲ ସେଂଟରରେ କାମ କରୁଥିବା ଏହି ଯୁବତୀଙ୍କର କେମିତି ମୃତ୍ୟୁ ଘଟିଲା ତାହା ଏକ ବଡ ରହସ୍ୟ ହୋଇ ରହିଯାଇଛି । ସ୍ୱାମୀ ହାଇଦ୍ରବାଦରେ କାମ କରନ୍ତି ଏବଂ ଝିଅ ଅଜାଙ୍କ ପାଖକୁ ଯାଇଥିଲେ । ଆଉ ଏହି ସମୟରେ ପୁରୁଷ ବନ୍ଧୁଙ୍କ ସହ ଏହି ଆପାର୍ଟମେଂଟରେ ଥିଲେ ଜିଜ୍ଞାସା । ରାତି ୩ଟାରେ ଘଟିଥିଲା ଏହି ଘଟଣା । ମୃତ ଯୁବତୀଙ୍କର ପରିବାର ଲୋକଙ୍କ କହିବାନୁସାରେ, ଘଟଣା ଘଟିବାର ପ୍ରାୟ ଅଢେଇ ଘଂଟା ପରେ ପରିବାର ଲୋକଙ୍କୁ ଫୋନ୍ କରିଥିଲେ ତାଙ୍କ ପୁରୁଷ ବନ୍ଧୁ । ପୁଲିସ ଏହି ପୁରୁଷ ବନ୍ଧୁ ଶଶାଙ୍କଙ୍କୁ ପଚରା ଉଚରା କରୁଛି ।

ସେପଟେ ସେହି ରାତିର କିଛି ସିସିଟିଭି ଫୁଟେଜ ସାମନାକୁ ଆସିଛି । ରାତି ପ୍ରାୟ ୪ଟାରେ ପୁରୁଷ ବନ୍ଧୁ ଜଣକ ଏହି କାରରେ ଯୁବତୀଙ୍କ ମୃତ ଦେହକୁ ଧରି ବାହାରକୁ ଯାଇଥିବା ସନ୍ଦେହ କରାଯାଉଛି । ତେବେ ଜିଜ୍ଞାସା କେମିତି ତଳକୁ ଖସି ପଡିଲେ? ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । ପୁରୁଷ ବନ୍ଧୁଙ୍କ ସହ କ’ଣ ଘଟିଥିଲା ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା କି ? ଏ ପ୍ରଶ୍ନର ବି ଉତ୍ତର ଖୋଜୁଛି ପୁଲିସ ।