ପୁଣି ପଦାରେ ପଡିଲା ରାୟଗଡ଼ାର ସ୍ୱାସ୍ଥ୍ୟଚିତ୍ର ! ବାଇକ ଆମ୍ବୁଲାନ୍ସ ସେବା ଫେଲ, ଭାରରେ ବୁହାହୋଇ ହସ୍ପିଟାଲ ଆସିଲେ ଡଙ୍ଗରିଆ ମହିଳା

26

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଛି ଅଭାବନୀୟ ଘଟଣା । ଜିଲ୍ଲାରେ ବାଇକ ଆମ୍ବୁଲାନସ ସେବା ଫେଲ ମାରିଛି । ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ଡଙ୍ଗରିଆ ରୋଗିଣା ମହିଳା ଓ ଜଣେ ରୋଗୀଣା ଯୁବକଙ୍କୁ ୧୨ କିଲୋମିଟର ବୋହି ଆଣିଛନ୍ତି ସମ୍ପର୍କୀୟ ।

ନିୟମଗିରି ପାହାଡ ଅନ୍ତର୍ଗତ କାଡ୍ରାକାବଣ୍ଡେଲି ଗାଁର କୁଲେସିକା କନେ ଜ୍ୱର ଓ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେହି ଗାଁର ଆଉ ଜଣେ ଯୁବକ ନୀଳ କାଡ୍ରାକାଙ୍କୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ମହିଳାଙ୍କୁ ଷ୍ଟ୍ରେଚରରେ ସମ୍ପର୍କୀୟ ୧୨ କିଲୋମିଟର ବୋହିଥିବାବେଳେ ଯୁବକଙ୍କୁ ସାଇକେଲ ସହାୟତାରେ ଆଣିଥିଲେ ।

ଉଭୟ ରୋଗୀଙ୍କୁ ଗାଁଠାରୁ ୧୨ କିଲୋମିଟର ବୋହି ଆଣିବା ପରେ ମୁଖ୍ୟ ରାସ୍ତାଠାରୁ ଏକ ଗାଡିରେ କଲ୍ୟାଣୀ ନଦୀ ଘାଟକୁ ଆଣିଥିଲୋ ନଦୀ ଘାଟରୁ ଏକ ଭେଳା ସହାୟତାରେ ଭରା ନଇ ପାର ହୋଇ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଏଭଳି ଘଟଣା ଏହି ଅଞ୍ଚଳରେ ଆଦୌ ନୂଆ ନୁହେଁ । ବାରମ୍ବାର ଏମିତି ଘଟଣା ସବୁ ଘଟି ଚାଲିଥିବା ବେଳେ ପ୍ରଶାସନକୁ ନିନ୍ଦିତ ହେବାକୁ ପଡୁଛି ।

କିଛି କ୍ଷେତ୍ରରେ ସଚେତନତା ଅଭାବରୁ ଏମିତି ଘଟଣା ଘଟୁଥିବା ବେଳେ କିଛି ସ୍ଥାନରେ ରାସ୍ତା ନଥିବାରୁ ସମସ୍ୟା ହେଉଥିବା କୁହାଯାଉଛି । ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇ ଡଙ୍ଗରିଆ ଚର୍ଚ୍ଚାରେ ରହୁଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇପାରି ନାହିଁ । ତେଣୁ ପ୍ରଶାସନ ପକ୍ଷରୁ ପ୍ରଥମେ ଭିତ୍ତିଭୂମି ପ୍ରସ୍ତୁତ କରି ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।