ମାଆ ଛାଡିଗଲା ଯାଆଁଳା ଛୁଆ ! ବଲାଙ୍ଗୀର ଷ୍ଟେସନ ଶୌଚାଳୟରୁ ଉଦ୍ଧାର ହେଲେ ଦୁଇ ଶିଶୁ କନ୍ୟା

24

କନକ ବ୍ୟୁରୋ: ମାଆ ଛାଡିଗଲା ଯାଆଁଳା ଛୁଆ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଷ୍ଟେସନରୁ । ଷ୍ଟେସନର ଶୌଚାଳୟରୁ ଦୁଇ ଶିଶୁ କନ୍ୟାଙ୍କୁ ଚାଇଲ୍ଡ ଲାଇନ ସହାୟତାରେ ଉଦ୍ଧାର କରାଯାଇଛି । ତାପରେ ଦୁଇ ଶିଶୁ କନ୍ୟାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ବଲାଙ୍ଗୀର ରେଳ ଷ୍ଟେସନ୍ ପରିସରରେ ଥିବା ଏକ ଶୌଚାଳୟରୁ ଦୁଇଜଣ ପରିତ୍ୟକ୍ତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ଦୁଇଟି ପଲିଥିନ୍ କ୍ୟାରି ବ୍ୟାଗରେ ପୂରାଇ କେହି ପ୍ରାୟ ମାସକର ଏ ଦୁଇ କଅଁଳା ପିଲାଙ୍କୁ ଶୌଚାଳୟ ଭିତରେ ରଖି ପଳାଇଥିବା ଅନୁମାନ କରାଯାଉଛି। ସକାଳ ପ୍ରାୟ ଛଅଟା ବେଳେ ଶୌଚାଳୟ କର୍ମଚାରୀମାନେ ଭିତରୁ କଅଁଳା ପିଲାଙ୍କ କାନ୍ଦ ଶୁଣି ଚାଇଲ୍ଡ ଲାଇନ ସହାୟତାରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

ତୁରନ୍ତ ସେ ଦୁଇ ପିଲାଙ୍କୁ ବଲାଙ୍ଗୀର ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲର ‘ଏମସିଏଚ୍’ ବିଲଡିଙ୍ଗକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ‘ଏସଏନସିୟୁ’ରେ ରଖିଛନ୍ତି। ସେ ଦୁଇ ଜଣଙ୍କ ଓଜନ ଯଥାକ୍ରମେ ୨ କିଲୋ ୨୦୦ ଗ୍ରାମ୍ ଏବଂ ୧ କିଲୋ ୬୦୦ ଗ୍ରାମ୍ ବୋଲି ଡାକ୍ତରଖାନାରୁ ପ୍ରକାଶ। ଖବର ପାଇ ରେଳବାଇ ପୁଲିସ ଏବଂ ଚାଇଲ୍ଡ୍ ଲାଇନ୍ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଅଛି ।