ବହୁ ଚର୍ଚ୍ଚିତ ମାଆ-ଝିଅ ହତ୍ୟାକାଣ୍ଡ ଘଟଣା: ପୁଲିସ କହିଲା, ହତ୍ୟାକାଣ୍ଡରେ ଅଛି ଆଉ ଜଣଙ୍କ ସଂପୃକ୍ତି, କେବଳ ବଲୋରୋ ନୁହେଁ ବ୍ୟବହୃତ ହୋଇଛି ଇନୋଭା ଗାଡି

ଅନୁପ ଓ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣି ସାମ୍ନା ସାମ୍ନି ଜେରା କରିବ ପୁଲିସ

536

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣା ଦିନକୁ ଦିନ ଚାଚଂଲ୍ୟକର ମୋଡ ନେଉଛି । ଘଟଣା ବାବଦରେ କନକ ନ୍ୟୁଜ ହାତରେ ଲାଗିଛି ନୂଆ ତଥ୍ୟ । ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ସମେତ ଆଉ ଜଣଙ୍କ ସଂପୃକ୍ତି ଥିବା କହିଛନ୍ତି ରାଇଗଡ ଏସପି ସନ୍ତୋସ ସିଂ । ଏହାସହ ଏହି ଡବଲ ମର୍ଡର ଘଟଣାରେ କେବଳ ବୋଲେରୋ ଗାଡି ନୁହେଁ ଇନୋଭା ଗାଡି ଲାଗିଥିଲା ବୋଲି କହିଛନ୍ତି ରାୟଗଡ ଏସପି । ପୁରା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ତଦନ୍ତରେ ସହଯୋଗ କରୁନାହାନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୁଲିସ ।

ଆବଶ୍ୟକ ପଡିଲେ ଉଭୟଙ୍କୁ ଓଡିଶା ନିଆଯିବ ବୋଲି ଏସପି ସନ୍ତୋଷ ସିଂ କହିଛନ୍ତି । ତେବେ ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ଘଟଣାସ୍ଥଳରେ ଡ୍ରାଇଭରକୁ ନେଇଥିଲା ପୁଲିସ । ସେଠାରେ ଡୋମୋ ଦେଖାଇବା ବେଳେ ଇନୋଭା ଗାଡି ସାମ୍ନାକୁ ଆସିଥିଲା । ତେବେ ପ୍ରଥମରୁ ହତ୍ୟାକାଣ୍ଡରେ ବୋଲେରୋ ଗାଡି ବ୍ୟବହାର କରାଯାଇଥିବା କଥା କୁହାଯାଉଥିବା ବେଳେ ପୁଲିସ କାହିଁକି ଇନୋଭା ଗାଡିକୁ ନେଇ ଡେମୋ ଦେଖାଇଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାସହ ଏହି ଇନୋଭାଟି ଗାଡି କାହାର ଓ ତା ଭିତରେ କିଏ ଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।