ମୋଟର ଯାନ ଆଇନ କଡାକଡି ହେବା ପରେ ବି ପଡୁନି ଫରକ । ୪ ମାସରେ ଧରାପଡିଛନ୍ତି ୧୦ ହଜାର ମଦୁଆ ଡ୍ରାଇଭର, ଏଣିକି ରାଜପଥରେ ଲାଗିବ ସିସିଟିଭି

405

କନକ ବ୍ୟୁରୋ : ନିୟମ ଖିଲାପକାରୀଙ୍କୁ ଧରିବ ସିସିଟିଭି । ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଲାଉଥିବା, ବିନା ହେଲମେଟରେ ଗାଡି ଚଳାଉଥିବା ବା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ରୋକ୍ ଲଗାଇବା ପାଇଁ ନୂଆ ବ୍ୟବସ୍ଥାର ଆରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ । ଖୋର୍ଦ୍ଧା ରାମେଶ୍ୱର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯିବ । ଏଠାରେ ଇଂଟିଗ୍ରେଟେଡ୍ ହାଇୱେ ମେନେଜମେଂଟ ସିଷ୍ଟମ ଲାଗୁ ହେବ । ଏହା ମାଧ୍ୟମରେ କମ୍ପ୍ୟୁଟର ଜରିଆରେ ନିୟମ ଖିଲାପକାରୀଙ୍କ ବିରୋଧରେ ଚାଲାଣ କରାଯିବ ବୋଲି କହିଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ।

ପ୍ରଥମେ ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ କରାଯାଉଥିବା ବେଳେ ଆଗାମୀ ଦିନରେ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ନିଷ୍ପତି ନେଇଛି । ନୂଆ ପରିବହନ ନିୟମ ଆସିବା ପରଠୁ ସାବାଡ ହେଉଛନ୍ତି ମଦୁଆ । ମଦ ପିଇ ଗାଡି ଚଲାଇଲେ ତା ଉପରେ କଠୋର ନିୟମ ରହିଥିବା ବେଳେ ଗତ ୪ ମାସରେ ରାଜ୍ୟରେ ମୋଟ ୧୦ ହଜାର ମଦୁଆଙ୍କୁ ଗିରଫ କରାଯାଇଛି । ପରିବହନ ବିଭାଗ ବିଭିନ୍ନ ସ୍ଥାନରେ ଯାଂଚ ବେଳେ ଏସବୁ ମଦୁଆ ଧରାପଡିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ପରିବହନ କମିଶନର । ଅନ୍ୟପଟେ ପିଲାଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିବା ପାଇଁ ଆସନ୍ତା ଶିକ୍ଷା ବର୍ଷଠାରୁ ଦଶମ ପାଠ୍ୟକ୍ରମରେ ଏନେଇ ବିଷୟବସ୍ତୁ ରହିବ ବୋଲି କମିଶନର ସୂଚନା ଦେଇଛନ୍ତି ।