ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା କରିବାକୁ ଚାହୁଁଛନ୍ତି କି? ୱେବସାଇଟ ଓ ଆପ ମାଧ୍ୟମରେ କରିପାରିବେ ସହାୟତା

449

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ନିଜର ବୀର ଯବାନଙ୍କୁ ହରାଇଛି ଭାରତ । ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଛନ୍ତି ଭାରତର ୪୦ ଯବାନ । ଆଉ ଏହି ଘଟଣା ପରେ ସହିଦ ଯବାନଙ୍କ ପରିବାର ଆଖିରୁ ଲୁହ ଶୁଖୁନି । କିଏ ନିଜ ପୁଅକୁ ହରାଇଛି ତ ପୁଣି କିଏ ନିଜ ବାପାଙ୍କୁ । ଆଉ ଏସବୁ ଭିତରେ କିଛି ପତ୍ନୀଙ୍କ ମୁଣ୍ଡରୁ ସିନ୍ଦୁର ମଧ୍ୟ ଲିଭାଇ ଦେଇଛି ଏହି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

ଦେଶ ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ପରିବାରକୁ ଯଦି ଆପଣ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାହୁଁଥାନ୍ତି ତେବେ ନିଜ ଫୋନରେ ଏକ ଆପ୍ ଇନଷ୍ଟଲ କରି ସହାୟତା ପ୍ରଦାନ କରିପାରିବେ । ସରକାର ୨୦୧୭ରେ ଏଭଳି ଏକ ଆପ୍ ଓ ପୋର୍ଟାଲର ଆରମ୍ଭ କରିଛନ୍ତି । ଯାହା ସାହାଯ୍ୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ସାଧାରଣ ଲୋକ ।

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପରାମର୍ଶ କ୍ରମେ ଗୃହ ମନ୍ତ୍ରାଳୟ ଏହି ଆପ୍ ଓ ୱେବସାଇଟ ପ୍ରସ୍ତୁତ କରିଛି । ଅକ୍ଷୟ କୁମାର କହିଥିଲେ, ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ବାବଦରେ ଅନଲାଇନ ୱେବସାଇଟରେ ସମସ୍ତ ତଥ୍ୟ ରହିବା ଆବଶ୍ୟକ । ଯାହାଦ୍ୱାରା ଦେଶର ଯେ କୌଣସି ବ୍ୟକ୍ତି ଚାହିଁଲେ ଉକ୍ତ ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ।

ଭାରତ କେ ବୀର ଆପ୍ ଓ ୱେବସାଇଟ :
ଭାରତ କେ ବୀର ୱେବପୋର୍ଟାଲ ଓ ମୋବାଇଲ ଆପରେ ସହିଦ ଯବାନଙ୍କ ବାବଦରେ ପୂରା ତଥ୍ୟ ରହିବା ସହ ତାଙ୍କ ପରିବାରବର୍ଗଙ୍କ ସହ ସର୍ମ୍ପକ କରିବାକୁ ମଧ୍ୟ ଆବଶ୍ୟକୀୟ ତଥ୍ୟ ରହିଛି । ଏଥିରେ ସହିଦ ଯବାନଙ୍କ ସର୍ମ୍ପକୀୟଙ୍କ ବ୍ୟାଙ୍କ୍ ଖାତା ନମ୍ବର ଦିଆଯାଇଛି ଯାହାଦ୍ୱାରା ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ । ଏପରିକି ସହିଦ ଯବାନ କେଉଁ ଅଭିଯାନ ସହ ଜଡିତ ଥିବା ବେଳେ ପ୍ରାଣ ହରାଇଛନ୍ତି ସେ ବାବଦରେ ବିସ୍ତୃତ ତଥ୍ୟ ମଧ୍ୟ ରହିବ ।

ଯଦି ଆପଣ ଆପ୍ ଜରିଆରେ ସହାୟତା କରିବାକୁ ଚାହୁଁଥାନ୍ତି ତେବେ ପ୍ରଥମେ ଆପଣଙ୍କୁ ଭାରତ କେ ବୀର ଆପ ଇନଷ୍ଟଲ କରିବାକୁ ପଡିବ । ଏହାପରେ ଆପକୁ ଖୋଲିଲେ ସହିଦ ଯବାନଙ୍କ ଫଟୋ ସହ ପୂରା ତାଲିକା ଦେଖାଇବ । ସେଥିମଧ୍ୟରୁ ଆପଣ ଯେଉଁ ସହିଦ ଯବାନଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବେ ସେମାନଙ୍କ ଫଟୋ ଉପରେ କ୍ଲିକ କରିବା ପରେ ପୂରା ତଥ୍ୟ ପାଇପାରିବେ ଓ ସହାୟତା ମଧ୍ୟ କରିପାରିବେ । ଯଦି ଆପଣ ୱେବପୋର୍ଟାଲ ଜରିଆରେ ସହାୟତା କରିବାକୁ ଚାହୁଁଥାନ୍ତି ତେବେ https://bharatkeveer.gov.in/ ଲିଙ୍କକୁ ଯାଇ ହୋମ ପେଜରେ ଗାଇଡଲାଇନ ସହ Click here to contribute ବିକଳ୍ପ ଦେଖିବାକୁ ମିଳିବ । ଏହାକୁ କ୍ଲିକ କରିବା ପରେ ସହିଦ ଯବାନଙ୍କ ଫଟୋ ସହ ପୂରା ତଥ୍ୟ ମିଳିପାରିବ । ଆଉ ଉକ୍ତ ତାଲିକା ମଧ୍ୟରୁ ଯେଉଁ ଯବାନଙ୍କୁ ସହାୟତା କରିବାକୁ ଚାହୁଁଥିବ ସେମାନଙ୍କ ଫଟୋ ଉପରେ କ୍ଲିକ୍ କରି ସହାୟତା ପ୍ରଦାନ କରିପାରିବେ ।

ଏହି ୱେବସାଇଟ ଓ ମୋବାଇଲ ଆପରେ ସହିଦଙ୍କ ବାବଦରେ ସମସ୍ତ ତଥ୍ୟ ରହିଥିବା ବେଳେ କେଉଁ ତାରିଖରେ ସହିଦ ହୋଇଥିଲେ, ସେମାନଙ୍କର ର‌୍ୟାଙ୍କ ମଧ୍ୟ ଉଲ୍ଲେଖ ଥିବ । ଏପରିକି ସହିଦ ଯବାନଙ୍କୁ କେତେ ଟଙ୍କାର ସହାୟତା ମିଳିଛି ତାହା ମଧ୍ୟ ଉଲ୍ଲେଖ ରହିବ । ତାହକୁ ଦୃଷ୍ଟିରେ ରଖି ଆପଣ ସହାୟତା କରିପାରିବେ । ପ୍ରତି ସହିଦ ଯବାନଙ୍କ ପରିଜନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଜମା କରାଯାଇପାରିବ । ୧୫ ଲକ୍ଷ ଟଙ୍କା ଜମା ହେବା ପରେ ଉକ୍ତ ସହିଦ ଯବାନଙ୍କ ଫଟୋ ଓ ପରିବାରବର୍ଗଙ୍କ ବାବଦରେ ଥିବା ତଥ୍ୟ ଆପଣାଛାଏଁ ୱେବସାଇଟରୁ ହଟିଯିବ ।