ରାଜ୍ୟରେ କମୁନି ଜନନୀ ଯନ୍ତ୍ରଣା : ନାଳ ଉପରେ ପୋଲ ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଲେ ପରିବାର ଲୋକ

21

କନକ ବ୍ୟୁରୋ :  ରାସ୍ତା କିମ୍ବା ପୋଲ ଅଭାବରୁ ମୟୂରଭଂଜ ଜିଲ୍ଲାରେ ପ୍ରସୂତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ଘଟଣା ବାରମ୍ବାର ଘଟିଚାଲିଛି । ଗତ ୩୦ ତାରିଖରେ ଏପରି ଏକ ଘଟଣା ଘଟିଥିଲା । ଆଜି ପୁଣି ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବା ଭଳି ଘଟଣା ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୂର ପଞ୍ଚାୟତର ଚାଉଳଘୋରି ପାହାଡ଼ସାହି ଗ୍ରାମରେ ଘଟିଛି । ସଦ୍ୟ ଏପରି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି କାଳୁ ସିଂଙ୍କ ସ୍ତ୍ରୀ ଝୁମି(୨୦) ।

ସୂଚନା ଅନୁସାରେ, ବର୍ତ୍ତମାନ ଝୁମି ୯ ମାସର ଗର୍ଭବତୀ ହୋଇଥିବା ବେଳେ ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ପକ୍ଷରୁ ୧୦୨କୁ ଖବର ଦିଆଯାଇଥିଲା । ଖବରପାଇ ୧୦୨ ପହଞ୍ଚିଥିଲେ ବି ଗ୍ରାମ ନିକଟରେ ଥିବା ଶଙ୍କରାଇ ନାଳ ଉପରେ ପୋଲ ନଥିବାରୁ ଗାଁକୁ ଯାଇନପାରି ପ୍ରାୟ ୩୦୦ ମିଟର ଦୂରରେ ଅପେକ୍ଷା କରି ରହିଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆରେ ବୋହି ଝୁମିଙ୍କୁ ୧୦୨ ନିକଟକୁ ଆଣିଥିଲେ । ସେଠାରୁ ଝୁମିଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଏତିକିରେ ଝୁମିଙ୍କ ଦୁଃଖ ସରିନଥିଲା । ବାଙ୍ଗିରିପୋଷି ଡାକ୍ତରଖାନାରେ ବିଭାଗୀୟ ବିଶେଷଜ୍ଞ ନଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାକୁ ସାଥୀ‌େର ଆଶାକର୍ମୀ ଜୟନ୍ତୀ ସିଂ ଯାଇଛନ୍ତି ।