ଦୂତିଙ୍କୁ ପାଖକୁ ଛୁଟିଲା ଅଭିନନ୍ଦନର ସୁଅ ! ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ପୁରା ଦେଶ କଲା ସାଲ୍ୟୁଟ୍ ।

36

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ପୁଣି ଥରେ ନିଜ ଚମକ ଦେଖାଇଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ମହିଳା ୧୦୦ ମିଟର ପରେ ୨୦୦ ମିଟର ରେସରେ ମଧ୍ୟ ନିଜ ଦମ୍ ଦେଖାଇଛନ୍ତି ଦୂତି ! ଏସୀୟ କ୍ରୀଡାର ୨୦୦ ମିଟର ରେସରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଦୂତି ଚାନ୍ଦ । ମାତ୍ର ୨୩.୦୨ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିବା ସହ ସେ ପୁଣି ଏକ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ସହ ଏସୀୟ କ୍ରୀଡାରେ ପୁଣି ଥରେ ଚମକିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ଦୂତିଙ୍କ ସଫଳତା ପରେ ଓଡିଶା ସମେତ ସାରା ଦେଶରେ ଖେଳିଯାଇଛି ଖୁସିର ଲହରୀ ।

ଦୂତିଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟିଛି ଅଭିନନ୍ଦନର ସୁଅ । ଅନେକ ବିଶିଷ୍ଟ ବ୍ୟକ୍ତି ଦୂତିଙ୍କ ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି । ଦୂତିଙ୍କ ସଫଳତା ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ଦୂତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟପାଳ ଗଣେଶୀ ଲାଲ୍ ମଧ୍ୟ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାରା ଦେଶରୁ ଦୂତିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।