ସାରା ରାଜ୍ୟରେ ବଢିଲା ଶୀତ ! ୧୫ ଡିଗ୍ରୀ ତଳେ ୧୩ ସହର

390

କନକ ବ୍ୟୁରୋ : ରାଜ୍ୟରେ ଶୀତ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଦାରିଙ୍ଗବାଡ଼ିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କେବଳ ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ପ୍ରାନ୍ତରେ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଏହାପରେ କିଛିଟା ପରିବର୍ତନ ହୋଇପାରେ। ୯ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଦୁଇ ଦିନ ହେଲା ରାଜ୍ୟରେ ଥଣ୍ଡା ବଢ଼ିଛି। ରାଜ୍ୟର ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୬ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ।

କିନ୍ତୁ ୭ ତାରିଖ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ତେଣୁ ଥଣ୍ଡା କମିବ। ୧୨ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ସ୍ଥିର ରହିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୮ରୁ ୧୨ତାରିଖ ପର୍ଯ୍ୟନ୍ତ ସକାଳୁ ପାଗ ଆଂଶିକ ମେଘୁଆ ସହ କୁହୁଡ଼ି ରହିବ। ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ୧୩ ଓ ୧୪ ତାରିଖରେ ପାଗ ମେଘୁଆ ସହ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି। ୬ ତାରିଖ ରାତିରୁ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ ଏବଂ ୧୨ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୩ ଓ ୧୪ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।