କନ୍ଧମାଳ କାନ୍ଧରେ ଶୀତ: ପୁଣି ଫେରିଲା ଶୀତ-କୁହୁଡି । ସଞ୍ଜ ନଆସୁଣୁ ବାଘ ପରି ଡରାଉଛି ଶୀତ । ଥଣ୍ଡାର ମଜା ନେଇ ପର୍ଯ୍ୟଟକ ଗାଉଛନ୍ତି ଗୀତ

490

କନକ ବ୍ୟୁରୋ: କନ୍ଧମାଳକୁ ପୁଣି ଫେରିଛି ଶୀତ । ଘନ କୁହୁଡି ସାଙ୍ଗକୁ ପଡୁଛି ଟୋପା ଟୋପା କାକର । ଭୋରରୁ ସକାଳ ୯ ଟା ଯାଏଁ ଘନ କୁହୁଡି ସାରା ଅଂଚଳକୁ ଘୋଡେଇ ରଖୁଛି । ଗତ ୩ ଦିନ ଧରି ଜାରି ରହିଥିବା ମେଘୁଆ ପାଗ ହଟିବା ପରେ ପ୍ରଥମ ଥର ପାଇଁ କନ୍ଧମାଳରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଛି । ତେବେ ସଞ୍ଜ ନଇଁବା ପରେ ହିଁ ହେମାଳ ପବନ ସହମାଡି ଆସୁଛି କୁହୁଡି । ଆଉ ପ୍ରବଳ ଥଣ୍ଡା ପବନ ହାତଗୋଡକୁ କାଲୁଆ କରି ପକାଉଥିବା ବେଳେ ଶୀତ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ସକାଳେ ସକାଳେ ଘନ କୁହୁଡିରେ ରାସ୍ତା ଘାଟ ସ୍ପଷ୍ଟ ଦେଖାଯାଉ ନାହିଁ । ତେଣୁ ଲୋକେ ରାସ୍ତା ଅପେକ୍ଷା ଖେଳ ପଡିଆକୁ ଯାଇ ପ୍ରାତଃଭ୍ରମଣ ସହ ବ୍ୟାୟାମ କରୁଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ ପ୍ରତ୍ୟେକ ଶନିବାର ସକାଳ ସ୍କୁଲ ପରିବର୍ତ୍ତେ ଦିନ ୧୦ଟାରୁ ସ୍କୁଲ ଖୋଲିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦୋକାନ ବଜାର ବି ଦିନ ୧୦ଟା ନହେବା ଯାଏଁ ଖୋଲା ହେଉି । ଖାଲି ସକାଳ କାହିଁକି ସନ୍ଧ୍ୟା ୭ଟାରୁ କୁହୁଡି ମାଡି ଆସୁଥିବାରୁ ରାସ୍ତାଘାଟ, ଦୋକାନ ବଜାର ୮ଟା ବେଳକୁ ନିର୍ଜନ ହୋଇପଡୁଛି ।

ତେବେ କନ୍ଧମାଳକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିଲେ ବି ଏବେ ଦେହ ଥରାଇ ଦେଉଛି । ଗୋଟିଏ ପଟେ ଥଣ୍ଡା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଅନ୍ୟପଟେ ଶୀତ ଓ କୁହୁଡିର ମଜା ନେବା ପାଇଁ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି ।