ଜାରି ରହିଛି ଶୀତ ! କନ୍ଧମାଳରେ ପୁଣି ଅନୁଭୂତ ହେଉଛି ଅସହ୍ୟ ଜାଡ଼

30

କନକ ବ୍ୟୁରୋ : କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ତାପମାତ୍ରା ପୁଣିଥରେ ହ୍ରାସ ପାଇଛି । କନ୍ଧମାଳରେ ପୁଣି ଅସହ୍ୟ ଜାଡ଼ ଅନୁଭୂତ ହେଉଛି । ଗତ ୮ ଓ ୯ ତାରିଖରେ ଜିଲ୍ଲାର ତାପମାତ୍ରା ୩.୫ ଡିିଗ୍ରୀ ସେଲସିୟସ ଥିବା ବେଳେ ବର୍ତ୍ତମାନ ଫୁଲବାଣୀରେ ୩.୫ ଓ ବେଲଘରରେ ୩ ଡିିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ଜଣାପଡ଼ିଛି । ଏହା ଜିଲ୍ଲାରେ ଜନଜୀବନକୁ ପ୍ରଭାବିତ କରିଛି । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୭ ଡିଗ୍ରି ରହିଛି ।

ରାଜ୍ୟର ଆଉ ୮ଟି ସହରର ତାପମାତ୍ରା ବି ୧୦ ଡିଗ୍ରି ତଳେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନୁଗୁଳ, ବଲାଙ୍ଗିର ଓ ହୀରାକୁଦରେ ୮.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୭.୯, କେନ୍ଦୁଝରଗଡ଼ରେ ୮.୪, ସମ୍ବଲପୁରରେ ୮.୯, ସୁନ୍ଦରଗଡ଼ରେ ୫.୫, ଭବାନୀପାଟଣାରେ ୮.୫ ଡିଗ୍ରି ରେକର୍ଡ ହୋଇଛି । ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଥଣ୍ଡା ସ୍ଥିତି ଜାରି ରହିବ । ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୫ ଡିଗ୍ରି ତଳକୁ ଖସି ଆସିପାରେ । ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ପାଗରେ ସେତେଟା ପରିବର୍ତନ ଆସିବ ନାହିଁ । ପୂର୍ବଦିନଗୁଡ଼ିକ ପରି ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଛି । କଟକର ସର୍ବନିମ୍ନ ତାପମାତ୍ରା ୧୨.୮ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ୧୩.୪ ଡିଗ୍ରି ରହିଥିଲା ।