୫୬ ଘଣ୍ଟାର ସତ ! ପଢନ୍ତୁ, ଶତ୍ରୁ ମାଟିରେ କେମିତି କଟିଥିଲା ଅଭିନନ୍ଦନଙ୍କ ସମୟ ।

ପାକିସ୍ତାନ ଦ୍ୱାରା ବନ୍ଦି ହେବାର ପ୍ରାୟ ୫୬ ଘଣ୍ଟା ପରେ ଭାରତ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ।

3,009

ପାକିସ୍ତାନ ଦ୍ୱାରା ବନ୍ଦି ହେବାର ପ୍ରାୟ ୫୬ ଘଣ୍ଟା ପରେ ଭାରତ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ୱାଘା ବର୍ଡରେ ବାଣ ଫୁଟାଇ ବାଜା ବଜାଇ ଲୋକ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନନ୍ଦନ ପାକିସ୍ତାନରେ ବିତାଇଥିବା ସେଇ ୫୬ ଘଣ୍ଟା ସମ୍ପର୍କରେ ।

ପୁଲୱାମାରେ ଫେବ୍ରୁଆରୀ ୧୪ ତାରିଖରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ବିସ୍ପୋରଣ ହୋଇଥିଲା ଯେଉଁଥିରେ ୪୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରେ ଫେବ୍ରୁଆରୀ ୨୬ ତାରିଖ ରାତିରେ ପାକିସ୍ତାନ ଭିତରେ ପ୍ରବେଶ କରି ଆତଙ୍କୀ ଶୀବିର ଉପରକୁ ଭାରତୀୟ ବାୟୁସେନା ଅତର୍କିତ ଆକ୍ରମଣ କରିଥିଲା ଯାହା ଦ୍ୱାରା ୩ଶହରୁ ଅଧିକ ଆତଙ୍କୀ ନିହତ ହୋଇଥିଲେ । ଭାରତୀୟ ବାୟୁସେନାର ଏପରି ସାହସକୁ ଦେଖି ପାକିସ୍ତାନ ବିଚଳିତ ହୋଇଯାଇଥିଲା ଏବଂ ୨୭ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପାକିସ୍ତାନ ସେନା ଭାରତ ମଧ୍ୟକୁ ପସି ଭାରତୀୟ ସେନା ଶିବିରକୁ ଟର୍ଗେଟ କରିଥିଲା । କିନ୍ତୁ ସୀମାରେ ପାକିସ୍ତାନୀ ଅନୁପ୍ରବେଶକୁ ପଣ୍ଡ କରିଥିଲା ବାୟୁସେନା । ଆଉ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୋଡାଇ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ଦୁର୍ଭାଗ୍ୟରୁ ଅଭିନନ୍ଦନ ଥିବା ମିଗ-୨୧ ବିମାନଟି ପାକିସ୍ତାନ ମାଟିରେ ଖସିପଡିଲା । ଆଉ ପାରାଚ୍ୟୁଟରେ ତଳକୁ ଖସିଥିଲେ ଅଭିନନ୍ଦନ ।

ପାରାଚ୍ୟୁଟରେ ତଳକୁ ଖସିବା ପରେ ଦକ୍ଷିଣ ପିଓକେର ହୋରା ଗାଁର ଏକ ମରୁଭୂମି ଭଳି ଅଂଚଳରେ ପହଂଚିଥିଲେ ଭାରତୀୟ ପାଇଲଟ୍ । ତାଙ୍କୁ ଦେଖି ଘେରିଯାଇଥିଲେ କିଛି ଯୁବକଙ୍କ ସହ ସ୍ଥାନୀୟ ଅଧିବାସୀ । ସେମାନଙ୍କୁ ଦେଖି ପାଖରେ ରଖିଥିବା ପିସ୍ତଲ ବାହାର କରି ଏହା କେଉଁ ଯାଗା? ବୋଲି ପ୍ରଶ୍ନ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ହେଲେ ଚାଲାକି କରି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିବାସୀ ତାହା ଭାରତ ବୋଲି କହିଥିଲେ । ପରୀକ୍ଷା କରିବାକୁ ହିନ୍ଦୁସ୍ତାନ ଜିନ୍ଦାବାଦ୍ ଭଳି ସ୍ଲୋଗାନ୍ ଦେଇଥିଲେ ଅଭିନନ୍ଦନ । ଏବଂ ପୁଣି ବନ୍ଧୁକ ଦେଖାଇ ପ୍ରଶ୍ନ କରିଥିଲେ ଏହା ଭାରତର କେଉଁ ଜାଗା? ଏହାପରେ ସ୍ଥାନୀୟ ଲୋକେ ତାହା ପାକିସ୍ତାନ ବୋଲି ସ୍ପଷ୍ଟ କରିଥିଲେ । ପାକିସ୍ତାନ ବୋଲି ଜାଣିବା ପରେ ସେହି ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ କହିଥିଲେ ମୋ ପିଠିରେ ଆଘାତ ଲାଗିଛି । ମୋତେ ଟିକେ ପାଣି ମିଳିବ? ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଆଡକୁ ବନ୍ଧୁକ ଦେଖାଇ ପଛୁଆ ପଛୁଆ ପ୍ରାୟ ଅଧ କିଲୋମିଟର ଯାଏଁ ଯାଇଥିଲେ ଅଭିନନ୍ଦନ । ଶତ୍ରୁ ରାଷ୍ଟ୍ରର ମାଟିରେ ଭୟଭିତ ନହୋଇ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିବା ସହ ସ୍ଥାନୀୟ ଲୋକଙ୍କୁ କେବଳ ଭୟଭିତ କରିଥିଲେ । ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ନପହଂଚାଇବା ଉଦ୍ଦେଶ୍ୟରେ କେବଳ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ । ଏବଂ ପରେ ପାଖରେ ଥିବା ଏକ ଛୋଟିଆ ପୋଖରୀକୁ ଡେଇଁ ପଡିଥିଲେ ଭାରତୀୟ ପାଇଲଟ୍ । ପାଖରେ ଥିବା ନକ୍ସା ଓ ସମସ୍ତ ଦସ୍ତାବିଜକୁ ପାଣିରେ ଓଦା କରି ନଷ୍ଟ କରିଦେଇଥିଲେ ।

ତେବେ ଅଭିନନ୍ଦନଙ୍କୁ ଘେରି ରହିଥିବା ସ୍ଥାନୀୟ ଯୁବକମାନେ ତାଙ୍କୁ ବନ୍ଧୁକ ତଳେ ପକାଇଦେବାକୁ ବାରମ୍ବାର କହିଥିଲେ । ଏହାରି ଭିତରେ ଜଣେ ଯୁବକ ତାଙ୍କ ଗୋଡକୁ ଲକ୍ଷ କରି ପଥର ମାଡକଲେ ଓ ସମସ୍ତେ ମିଶିଲ ତାଙ୍କୁ କାବୁ କରିନେଲେ । ଉତେଜିତ ଯୁବକମାନେ ତାଙ୍କୁ ଧରି ପକାଇବା ପରେ ପ୍ରବଳ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ଏହାରି ଭିତରେ ପହଂଚି ଯାଇଥିଲେ ପାକିସ୍ତାନ ସେନା ଯବାନ । ଭିଡ ଭିତରୁ ତାଙ୍କୁ ଉଦ୍ଧାର କରି ଆଖିରେ କଳା ପଟି ବାନ୍ଧି ନିକଟସ୍ଥ ସେନା ଶିବିରକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ପାକିସ୍ତାନି ସେନା କଫି ପିଇବାକୁ ଦେବା ସହ ତାଙ୍କ ଘର କେଉଁଠି, ସେ କେଉଁ ବିମାନ ଚଲାଉଥିଲେ ଏବଂ ତାଙ୍କ କଣ ପ୍ଲାନ ଥିଲା ଭଳି ଅନେକ ପ୍ରଶ୍ନ ପଚାରିଥିଲେ କିନ୍ତୁ ଭାରତର ବୀର ଯବାନ ତାଙ୍କ କୌଣସି ପ୍ରଶ୍ନର ଉତର ଦେଇନଥିଲେ । ଯାହାର ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା ।

ସେ ଯହାବି ହେଉନା କାହିଁକି ଶେଷରେ ପାକିସ୍ତାନକୁ ଭାରତ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଛି । ଆଉ ଆଜି ଅଭିନନ୍ଦନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ପାକିସ୍ତାନ । ସତରେ ଶତ୍ରୁ ମାଟିରେ ଅଦମ୍ୟ ସାହସ ଦେଖାଇ ପ୍ରାୟ ୫୬ଘଣ୍ଟା ସେଠାରେ ବିତାଇ ଭାରତ ପେରିବା ପରେ ଦେଶବାସୀଙ୍କ ଆଗରେ ଅଭିନନ୍ଦନ ଏକ ସହସୀ ବୀର ପାଲଟି ଯାଇଛନ୍ତି ।