ମଦମୁକ୍ତ ପଂଚାୟତ କନ୍ଧମାଳର କତିଙ୍ଗିଆ : ୩ ବର୍ଷ ମଦ ଛାଡିବା ପରେ ବଦଳି ଯାଇଛି ପଂଚାୟତର ଚେହେରା

36

କନକ ବ୍ୟୁରୋ : କନ୍ଧମାଳର କତିଙ୍ଗିଆ ପଂଚାୟତ । କନ୍ଧମାଳ ଜି. ଉଦୟଗିରିର ବ୍ଲକର ପାହାଡ଼ତଳର ଏକ ପଂଚାୟତ- କତିଙ୍ଗିଆ । କିଛି ବର୍ଷ ତଳେ ଏଠାରେ ମଦ ପାଇଁ ଗାଁରେ ରାଜୁତି କରୁଥିଲା “ଅଶାନ୍ତି’’ । ମହୁଲି ମଦ ଥିଲା ଜୀବନ । ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ଏବେ ଏଠାରେ ଗାଁକୁ ଲମ୍ବିଯାଇଛି ପକ୍କା ସଡ଼କ । ପାହାଡ଼ ତଳ ବିଲରେ ଚୁଆ ଖୋଳି ନାଳୀ ସାହାଯ୍ୟରେ ବିଲରେ ପାଣି ମଡ଼ାଉଛନ୍ତି ଗ୍ରାମବାସୀ । ଆଉ ବିଲରେ ହସୁଛି- ହଳଦୀ, ବିନସ ଓ ମଟରର ଫସଲ ।

ମଦମୁକ୍ତ ପଂଚାୟତ ଗଠନ ପଛରେ ଜଣେ ସ୍ଥାନୀୟ ସାଧୁ- ସୁଦାୟା ବାବା ଯଥେଷ୍ଟ ପ୍ରେରଣା ଯୋଗାଇନ୍ତି । ଲୋକେ ମଦ ଛାଡ଼ିବାକୁ ସେ ସମସ୍ତଙ୍କୁ ପ୍ରବର୍ତାଇଛନ୍ତି । ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସରଂପଚ ମଧ୍ୟ ଏ ଦିଗରେ ଲୋକଙ୍କୁ ସଚେତନ କରିଛନ୍ତି । ଲୋକେ ପିଲାଙ୍କୁ ଅଙ୍ଗନବାଡ଼ି ସ୍କୁଲ, ପ୍ରାଥମିକ ସ୍କୁଲ ପଠାଇବାରେ ହେଳା କରୁନାହାନ୍ତି । ଗାଁ ଭିତରେ ବ୍ୟାଙ୍କ୍ ଶାଖା ବି ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିଛି ।

ଓଡ଼ିଶା ସମେତ ସାରା ଦେଶକୁ ମଦମୁକ୍ତ କରିବା ପାଇଁ ଅଂଟା ଭିଡ଼ିଥିବା “ମିଳିିତ ଓଡ଼ିଶା ନିବାରଣ ମଂଚ’’ ପକ୍ଷରୁ ଆସନ୍ତା ୨୯ ଓ ୩୦ ତାରିଖ ଦିନ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ସମ୍ମିଳନୀ । ଏଥିରେ ସାରା ଦେଶର ବିଭିନ୍ନ ରାଜ୍ୟରୁ ନିଶାନିବାରଣ ବିରୋଧରେ ଆନ୍ଦୋଳନ ଚଳାଇଥିବା ସାମାଜିକ କର୍ମୀମାନେ ଯୋଗ ଦେଉଛନ୍ତି । ଜାନୁଆରୀ ୩୦ରେ ଲୋଏର ପିଏମ୍ଜିରେ ଏକ ବଡ଼ ଧରଣର ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି ।

ଦେଶର ଗୁଜରାଟ, ବିହାର, କେରଳ ଓ ଉତ୍ତର ପୂର୍ବାଂଚଳର କିଛି ରାଜ୍ୟ ମଦକୁ ନିଷେଧ କରିବା ପରେ ଏବେ ଏହାକୁ ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଦାବି ବଢ଼ୁଛି ।