ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡିଆସିଲା ସମୂଦ୍ର: କେନ୍ଦ୍ରାପଡା ପେଣ୍ଠରେ ଭାସିଗଲା ମାଛ ଧରା ଡଙ୍ଗା; ପାରାଦୀପରେ ବୁଡିଲା ଟ୍ରଲର, ରାଜନଗର ପୁରୁଷୋତମପୁର ଗାଁରେ ୬୨ ପରିବାର ଜଳବନ୍ଦୀ

ଖରିନାସୀ ପଂଚାୟତର ଆଦିବାସୀପଡାରେ ପଶିଲା ଜୁଆର ପାଣି

878

କନକ ବ୍ୟୁରୋ: ପାରାଦୀପରେ ତାଣ୍ଡବ ରଚି ଏବେ ବାଲେଶ୍ୱର ମୁହାଁଇଛି ଭୟଙ୍କର ସାମୁଦ୍ରିକ ଝଡ ଅମ୍ଫାନ । ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ବର ଅଭିମୁଖେ ଗତି କରୁଛି। ସୂଚନା ଅନୁସାରେ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଦିଗକୁ ଗତି କରୁଛି । ଏହା ଏବେ ଦୀଘାଠାରୁ ୧୨୫କିମି ଦୂରରେ ଥିବା ବେଳେ ବାଂଲାଦେଶରୁ ୨୭୫ କିମି ଦୂରରେ ରହିଛି । ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ ।

ସେପଟେ, ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଗଛଭାଙ୍ଗି ପଡ଼ିବା ସହ ରାସ୍ତା ଘାଟ ଯାମ୍ ହୋଇଛି । ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଗଛ କାଟିବା କାମରେ ଲାଗଛନ୍ତି ଏନଡ଼ିଆରଫ ଟିମ୍ । ସେହିଭଳି ଜଗତସିଂହପୁର ଇଶ୍ୱରପୁର ପଂଚାୟତର ପୁରୁଷୋତ୍ତମପୁର ଗାଁ ନିକଟରେ ଥିବା ଲୁଘା ଘେରି ବନ୍ଧ ଡେଇଁ ପାଟଶାଳା ନଦୀର ପାଣି ଗାଁ ଭିତରକୁ ପ୍ରବେଶ କରିଛି । ସେହି ଗାଁର ପ୍ରତାପ ମଣ୍ଡଳଙ୍କ ପରିବାର ପାଣି ଭିତରେ ରହିଛି । ସେହି ଗାଁର ୬୨ ପରିବାର ସଂପୂର୍ଣ୍ଣ ଜଳମଗ୍ନ ହେବା ଆଶଙ୍କା ରହିଛି ।  ଏପଟେ, ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଅମ୍ଫାନ ପ୍ରଭାବରୁ ଗତକାଲି ରାତିରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ପବନ ସହ ବର୍ଷା । ଆଜି ସକାଳୁ କିଛି ସମୟ ଧରି ପବନର ବେଗ ଅଧିକ ରହିବା ପରେ ଥମି ଯାଇଥିଲା । କିନ୍ତୁ ଦିନ ଦିନ ୧୦ଟା ପରେ ବଢିଥିଲା ପବନର ବେଗ ।

କେନ୍ଦ୍ରାପଡାରେ ବି ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ । ସମୁଦ୍ର ଉପକୂଳ ଅଂଚଳ ଏହି ଜିଲ୍ଲାରେ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଅନେକ ଅଂଚଳରେ ଏବେ ପାଣି ଜମି ରହିଲାଣି । ପବନର ତୀବ୍ରତା ଆଗରେ ପୁରା ନଇଁ ଯାଉଛି ବଡ ବଡ ଗଛ । ସେପଟେ ସମୁଦ୍ର ଅଶାନ୍ତ ହେବା ପରେ ଏହାର ପ୍ରଭାବ ମଧ୍ୟ ଉପକୂଳ ଅଂଚଳରେ ପଡିଛି । ସମୁଦ୍ର ଫୁଲିବା ପରେ ଅନେକ ସ୍ଥାନରେ ମାଛ ଧରା ଡଙ୍ଗା ସବୁ କୂଳରେ ମାଡ ହୋଇ କ୍ଷତିଗ୍ରସ୍ତ ହୋଇଛିା

ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଏହିକାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଆସୁଛି ଉଚ୍ଚା ଉଚ୍ଚା ଲହଡି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ଲୋକଙ୍କୁ ବାରଣ କରିଛି । ମାଇକ ଯୋଗେ ପ୍ରଚାର କରି ସମୁଦ୍ରକୂଳିଆ ଲୋକଙ୍କୁ ସତର୍କ କରାଉଛି ଜିଲ୍ଲା ପ୍ରଶାସନ । ସେପଟେ ଉଚ୍ଚ ଜୁଆର ଉପକୂଳ ଡେଇଁ ଆସିବା ପରେ ସମୁଦ୍ର ଧୀରେ ଧୀରେ ଅଧିକ ଅଶାନ୍ତ ରହୁଥିବା ଜଣାପଡିଛି । ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଧାମରାରେ ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ । ସକାଳୁ ଧୀରେ ଧୀରେ ଏଠାରେ ପବନର ବେଗ ବଢିବାରେ ଲାଗିଛି । ପବନର ବେଗ ଏତେ ଜୋରରେ ରହିଛି ଯେ ବଡ ବଡ ଗଛକୁ ପୁରା ଦୋହଲାଇ ଦେଉଛି ଝଡ । କିଛି ସ୍ଥାନରେ ଘରର ଛପରକୁ ପବନ ଉଡାଇ ନେଇ ଅନ୍ୟ ସ୍ଥାନରେ ଫିଙ୍ଗି ଦେଇଛି । ପବନର ବେଗ ଏତେ ଅଧିକ ରହିଛି ଯେ ଜଣେ ସାଧାରଣ ଲୋକ ବାହାରେ ଖୋଲା ଆକାଶ ତଳେ ସ୍ଥିର ହୋଇ ଠିଆ ହେବା ଅସମ୍ଭବ ମନେ ହେଉଛି । ଅମ୍ଫାନ କାରଣରୁ ଅଶାନ୍ତ ରହିଛି ବାଲେଶ୍ୱରର ଚାନ୍ଦିପୁର ବେଳାଭୂମି । ଏଠାରେ ବି ଦେଖିବାକୁ ମିଳିଛି ବଡ ବଡ ଜୁଆର । ସମୁଦ୍ର ଅଶାରହୁଥିବା ବେଳେ ଅନେକ ସ୍ଥାନରେ ଘରର ଛପର ବି ଉଡିଯାଇଛି । ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହି ଏହା ଅଧିକ ହୋଇଛି ।