ବିଜେପି ଛାଡି କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧି! ଜାଣନ୍ତୁ ଓଡିଶାରେ କଣ ଉତ୍ତର ଦେଲେ ରାହୁଲ ଗାନ୍ଧି?

592

ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଏଣ୍ଟ୍ରି ମାରିବା ପରେ ତାଙ୍କୁ କଂଗ୍ରେସ ଦଳର ମହାସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାଛଡା ଉତ୍ତର ପ୍ରଦେଶର ଦାୟିତ୍ୱ ମଧ୍ୟ ପ୍ରିୟଙ୍କାଙ୍କ ହାତରେ ଦେଇଛନ୍ତି ଭାଇ ରାହୁଲ । ତେବେ ପ୍ରିୟଙ୍କା ସିଧାସଳଖ ରାଜନୀତିରେ ଯୋଗ ଦେବା ପରେ ରାହୁଲଙ୍କ ଦାଦା ପୁଅ ଭାଇ ବରୁଣ ଗାନ୍ଧି ମଧ୍ୟ ବିଜେପି ଛାଡି କଂଗ୍ରେସର ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚାର ଉତ୍ତର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ।

ଓଡିଶା ଗସ୍ତରେ ଆସିଥିବା ରାହୁଲ ଭୁବନେଶ୍ୱରରେ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା ବେଳେ ବରୁଣ ଗାନ୍ଧୀ କଣ କଂଗ୍ରେସରେ ସାମିଲ ହେଉଛନ୍ତି କି ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ସମସ୍ତଙ୍କ ସାମ୍ନାରେ ରଖିଥିଲେ ରାହୁଲ । ସିଧାସଳଖ ଭାବେ କହିଥିଲେ, ମୁଁ ଏଭଳି କୌଣସି ଚର୍ଚ୍ଚା ଏଯାଏଁ ଶୁଣିନାହିଁ ।

ଯେତେେବେଳ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେବେଠାରୁ ବରୁଣ ଗାନ୍ଧି କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ତେବେ ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ଏସବୁ ଭିତରେ ଗତ କିଛି ଦିନ ପୂର୍ବେ ବରୁଣ ଗାନ୍ଧି ଏଭଳି କିଛି ବୟାନ ଦେଇଛନ୍ତି ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଖାସକରି ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ ମଧ୍ୟ କରିଛନ୍ତି ।

୧୯୮୦ ମସିହାରେ ଏକ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କର ମୃତ୍ୟୁ ହୋଇଥିଲା । ଆଉ ଏହା ପରଠାରୁ ସଞ୍ଜୟଙ୍କ ପତ୍ନୀ ମେନକା ଗାନ୍ଧି କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ । ୧୯୮୮ରେ ଜନତା ଦଳରେ ମେନକା ଯୋଗ ଦେଇଥିବା ବେଳେ ୨୦୦୪ରେ ପୁଅ ବରୁଣଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । ପରେ ୨୦୦୯ରେ ପିଲିଭିତ ଆସନରୁ ବରୁଣ ନିର୍ବାଚନ ଲଢିବା ସହ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ଲୋକସଭା ଆସନରେ ନିର୍ବାଚିତ ହୋଇଥିଲେ ବରୁଣ । ଜଣେ ଲୋକପ୍ରିୟ ଓ ଅଗ୍ନିବର୍ଷୀ ଭାଷଣ ଦେଉଥିବା ନେତା ଭାବେ ବରୁଣ ଜଣାଶୁଣା ।