ସହିଦଙ୍କ ପାଇଁ ବିମାନ ବନ୍ଦର ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା । ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ

ସହିଦଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି

227

କନକ ବ୍ୟୁରୋ : ସହିଦଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିମାନବନ୍ଦର ପରିସରରେ ଭିଡ ମଧ୍ୟ ରହିଛି । ରାଜନେତାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଛନ୍ତି । କେବଳ ଅପେକ୍ଷା ରହିଛି କେତେବେଳେ ସେହି ବୀର ଯବାନଙ୍କ ପ୍ରାର୍ଥୀବ ଶରୀର ବିମାନ ବନ୍ଦରରେ ପହଞ୍ଚିବ । ମିଳିଥିବା ସୂଚନା ଅନୁସାରେ ସିଆରଏଫ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିମାନ ବନ୍ଦରର ପରିସରରେ ଏକ ଅସ୍ଥାୟୀ ପିଣ୍ଡି ପ୍ରସ୍ତୁତ ମଧ୍ୟ ହୋଇଛି । ସେଠାରେ ଯବାନଙ୍କ ଶରୀରକୁ କିଛି ସମୟ ରଖାଯିବା । ସେଠାରେ ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ମଧ୍ୟ ଅର୍ପଣ କରାଯିବ ବୋଲି ସୂଚନା ରହିଛି ।

ଏହାପରେ ଜନ୍ମମାଟିରେ ପହଂଚିବ ସହିଦ ୨ ଓଡିଆ ବୀର ଯବାନଙ୍କ ପାର୍ଥିବ ଶରରୀ । ଦୁଇ ଓଡିଆ ସହିଦ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ଅଂଚଳରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି ।

ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ୨୦୦୬ ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରିଶିଖର ଗାଁ ଯାଇ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସୂଚନା ରହିଛି । ସେହିପରି ରତନପୁର ଗାଁରେ ପହଂଚି ସହିଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସହିଦଙ୍କ ପରିବାରକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ସହିଦଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।