ପ୍ରଦୂଷଣ ରୋକିବାକୁ ମୋଦି ସରକାରଙ୍କ ବଡ ଯୋଜନା । ରାସ୍ତାରୁ ହଟିବ ପୁରୁଣା ଗାଡି । ୧୫ ବର୍ଷର ପୁରୁଣା ଗାଡି ପାଇଁ ସ୍କ୍ରାପିଙ୍ଗ୍ ନୀତି ଆଣିବ କେନ୍ଦ୍ର

2,887

କନକ ବ୍ୟୁରୋ : ଦେଶର ରାସ୍ତା ଉପରେ ଆଉ ଗଡିବନି ପୁରୁଣା ଗାଡି । ପ୍ରଦୂଷଣ ରୋକିବାକୁ ୧୫ ବର୍ଷରୁ ପୁରୁଣା ଗାଡି ଗୁଡିକୁ ହଟାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସ୍କ୍ରାପିଂ ନୀତି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମୁମ୍ୱାଇରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ଏଥିପାଇଁ ଚିଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହା ସହିତ ଜଡିତ ଅନ୍ୟ ମନ୍ତ୍ରାଳୟର କାର୍ଯ୍ୟ ସଂପାଦନ ପରେ କ୍ୟାବିନେଟରେ ଆଗତ ହେବ ଏହି ନୀତି ପ୍ରସ୍ତାବ । ଏହି ନୀତି ଅନୁସାରେ ଦେଶରେ ଚାଲୁଥିବା ସମସ୍ତ ୪ ଚକିଆ ଓ ୨ ଚକିଆ ଯାନ ଗୁଡିକ ଉପରେ ଲାଗୁ ହେବ ନିୟମ । ଯେଉଁ ଗୁଡିକ ୧୫ ବର୍ଷରୁ ଅଧିକ ପୁରୁଣା ସେଗୁଡିକ ସ୍କ୍ରାପିଂ ନୀତିରେ ଆସିବ ।

ଏହି ପୁରୁଣା ଗାଡି ଗୁଡିକ ପ୍ରଦୂଷଣକୁ ଅଧିକ ବଢାଇଥାନ୍ତି । ତେଣୁ ଏଗୁଡିକୁ ଆଉ ଫିଟନେସ୍ ସାର୍ଟିଫିକେଟ୍ ନଦେଇ ଏଗୁଡିକୁ ନଷ୍ଟ କରିଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର ନୂଆ ନୀତି ଆଣିବେ । ଯେଉଁମାନେ ପୁରୁଣା ଗାଡି ପରିତ୍ୟାଗ କରି ହସ୍ତାନ୍ତର କରିବେ ସେମାନଙ୍କୁ ଟିକସ୍ ରିହାତି ପ୍ରୋତ୍ସାହନ ମିଳିବ । ପୁରୁଣା ଗାଡି ଗୁଡିକୁ ନଷ୍ଟ କରି ଦିଆଗଲେ ଏସବୁରୁ ମିଳିବାକୁ ଥିବା ଇସ୍ପାତ, ଆଲୁମିନିୟମ, ଓ ପ୍ଲାଷ୍ଟିକକୁ ରିସାଇକିଲ୍ କରାଯିବ । ଏଥିପାଇଁ ନୂଆ ଗାଡି ଗୁଡିକର ଦାମ୍ ୨୦ରୁ ୩୦ ପ୍ରତିଶତ ଦାମ୍ ବି କମିଯିବ । ଖାସ୍ କରି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଓ ଅଧିକ ପ୍ରଦୂଷଣ କରୁଥିବା ଗାଡି ଗୁଡିକୁ ରାସ୍ତାରୁ ହଟାଇବାକୁ ଏପରି ନିଷ୍ପତି ନେଉଛନ୍ତି କେନ୍ଦ୍ର ସରକାର ।