ରାଜ୍ୟରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ କୋହଲା ପାଗ ! ୫ ନଭେମ୍ବରରୁ ଶୀତରେ ଥରିବ ଓଡିଶା : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସ୍ଥଳଭାଗରେ ଲଘୁଚାପ ପ୍ରଭାବଶୂନ୍ୟ ହୋଇପଡ଼ିଛି

110

କନକ ବ୍ୟୁରୋ : ସ୍ଥଳଭାଗରେ ଲଘୁଚାପ ପ୍ରଭାବଶୂନ୍ୟ ହୋଇପଡ଼ିଛି। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ବଙ୍ଗୋପସାଗରର ଆଭ୍ୟନ୍ତରୀଣ ଅଞ୍ଚଳରେ ଆହୁରି ଦୁଇଦିନ ଧରି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ ଏବଂ ୫.୮ କିଲୋମିଟର ମଧ୍ୟରେ ସୃଷ୍ଟି ହୋଇଛି।

 

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାତ୍ର ଉତ୍ତର ଓ ଉପକୂଳ ଓଡ଼ିଶାର ଆକାଶ ମେଘମୁକ୍ତ ହେବାକୁ ଆଉ ଚାରି ପାଞ୍ଚ ଦିନ ସମୟ ନେବାକୁ ଥିବାରୁ ଏହାର ପ୍ରଭାବରେ ଆହୁରି ସପ୍ତାହେ ଧରି କୋହଲା ପାଗ ଜାରି ରହିବ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ବାସଙ୍କ କହିବା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓଡ଼ିଶାର ଦୁଇ ତିନିଟି ସ୍ଥାନରେ ବର୍ଷା ହୋଇପାରେ। ନଭେମ୍ବର ୧ ବେଳକୁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ୪ ପରଠାରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବା ସହ ପାଗ ଶୁଷ୍କ ହେବାକୁ ଆରମ୍ଭ କରିବ। ନଭେମ୍ବର ୫ ପରଠାରୁ ଓଡ଼ିଶାର ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହେବା ସହିତ ରାଜ୍ୟକୁ ଶୀତ ଫେରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

ଦାରିଙ୍ଗିବାଡ଼ି, କୋରାପୁଟ, କେନ୍ଦୁଝର, ଭବାନୀପାଟଣାରେ ପାରଦ ବେଶ ତଳକୁ ଖସି ଆସିଛି। ଏସବୁ ଅଞ୍ଚଳରେ ମୃଦୁ ଶୀତ ଅନୁଭୂତ ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ସେଲସିୟସ ଥିବାବେଳେ କୋରାପୁଟରେ ୧୪ ଡିଗ୍ରି, ଭବାନୀପାଟଣାରେ ୧୭ ଡିଗ୍ରି, କେନ୍ଦୁଝରରେ ୧୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କେବଳ ଏସବୁ ଅଞ୍ଚଳ ନୁହେଁ ଗୋପାଳପୁର, ବାଲେଶ୍ବର, କଟକ, ସୋନପୁର, ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ ଭଳି ଅଞ୍ଚଳରେ ପାରଦ ୨୦ ଡିଗ୍ରି ତଳେ ରହିଥିଲା।